ଜତିସଂଘ: ୟୁନିସେଫ୍ ଗୁଡଓ୍ବିଲ୍ ଆମ୍ବାସାଡର (ସଦିଚ୍ଛାମୂଳକ ରାଷ୍ଟ୍ରଦୂତ)ଭାବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ବ୍ୟକ୍ତିଗତ ମତ ଦେବା ଅଧିକାର ରହିଛି ବୋଲି ଜାତିସଂଘ ମୁଖପାତ୍ର ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଭାରତୀୟ ବାୟୁସେନାକୁ ଉତ୍ସାହିତ କରିବାଭଳି ଏକ ଟୁଇଟ୍ କରିବା ପରେ ପାକିସ୍ତାନ ପକ୍ଷରୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ତାଙ୍କୁ ଉପରୋକ୍ତ ପଦରୁ ହଟାଇଦେବା ପାଇଁ ଜାତିସଂଘରେ ଆବେଦନ କରାଯାଇଥିଲା। ୟୁନିସେଫ୍ର ଗୁଡଓ୍ବିଲ୍ ଆମ୍ବାସାଡରମାନେ ସେମାନଙ୍କ ବ୍ୟକ୍ତିଗତ ଦକ୍ଷତା ବଳରେ ନିଜ ଦେଶର ସ୍ବାର୍ଥ ସହ ଜଡ଼ିତ ପ୍ରସଙ୍ଗ ଉପରେ ମତ ଦେବାର ଅଧିକାର ସେମାନଙ୍କର ରହିଛି ବୋଲି ଜାତିସଂଘର ମହା ସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫାନେ ଡୁଜାରିକ୍ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି ସେମାନଙ୍କର ବ୍ୟକ୍ତିଗତ ମତ ୟୁନିସେଫ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ ସେମାନେ ୟୁନିସେଫ୍ ତରଫରୁ କହୁଥିବାବେଳେ ଉକ୍ତ ସଂସ୍ଥାର ପ୍ରମାଣଭିତ୍ତିକ ପକ୍ଷପାତହୀନ ସ୍ଥିତି ଉପରେ ପ୍ରାଧାନ୍ୟ ଦେବା ଉଚିତ। ପ୍ରିୟଙ୍କା ଫେବୃୟାରୀ ୨୬ରେ ‘ଜୟ ହିନ୍ଦ୍ #ଇଣ୍ଡିଆନ୍ ଆର୍ମଡ ଫୋର୍ସେସ୍’ ଭଳି ଏକ ବିବୃତି ଲେଖି ଏହା ଉପରେ ଭାରତୀୟ ପତାକା ଓ ନମସ୍ତେ ଲେଖି ଟୁଇଟ୍ କରିଥିଲେ। ତାଙ୍କର ଏହି ଟୁଇଟ୍ ପାଇଁ ତାଙ୍କୁ ଜାତିସଂଘର ଆମ୍ବାସାଡର ପଦରୁ ହଟାଇଦେବା ପାଇଁ ହଜାର ହଜାର ଦସ୍ତଖତ ସମ୍ବଳିତ ପତ୍ର ଅନଲାଇନ୍ ଯୋଗେ ଆବେଦନ କରାଯାଇଥିଲା। ଭାରତୀୟ ସଶସ୍ତ୍ର ସେନାକୁ ସମର୍ଥନ କରି ଟୁଇଟ କରିବା ଅଭିଯୋଗରେ ପାକିସ୍ତାନର ମାନବିକ ଅଧିକାର ମନ୍ତ୍ରୀ ଶିରୀନ ମଜାରୀ ଚଳିତ ସପ୍ତାହରେ ଜାତିସଂଘକୁ ଏକ ପତ୍ର ଲେଖି ଉକ୍ତ ପଦବୀରୁ ପ୍ରିୟଙ୍କାକୁ ହଟାଇଦେବା ପାଇଁ ଅନୁରୋଧ କରିଥିଲେ। ପ୍ରିୟଙ୍କା ଏଭଳି ଟୁଇଟ କରି ପାକିସ୍ତାନ ବିରୋଧରେ ଯୁଦ୍ଧକୁ ଉସୁକାଉଛନ୍ତି ବୋଲି ଶିରୀନ ଅଭିଯୋଗ କରିଛନ୍ତି।