Categories: ଜାତୀୟ

ପ୍ରିୟଙ୍କା ଯିବେ ରାଜ୍ୟ ସଭା !

ନୂଆଦିଲ୍ଲୀ,୧୫।୨: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛତିଶଗଡ଼ରୁ ରାଜ୍ୟ ସଭା ଆସିବା ନେଇ ଏବେ ଚର୍ଚ୍ଚା ହେଉଛି। ଆସନ୍ତା ଏପ୍ରିଲ୍‌ରେ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶର କେତେକ ରାଜ୍ୟ ସଭା ଆସନ ଖାଲି ହେଉଛି। ମୋତିଲାଲ ଭୋରା, ଦିଗ୍‌ବିଜୟ ସିଂ, କୁମାରୀ ଶୈଲଜା, ମଧୁସୂଦନ ମିସ୍ତ୍ରୀ, ହୁସେନ୍‌ ଦଲବଇ ଆଦିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏସବୁ ଆସନରୁ ପ୍ରିୟଙ୍କା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରଣଦୀପ୍‌ ସୁରେଜଓ୍ବାଲା, ଭିଲିନ୍ଦ ଦଓ୍ବେଡ଼ା, ଜିତିନ ପ୍ରସାଦ ଏବଂ ଆର୍‌.ପି.ଏନ୍‌. ସିଂ ହାଦି ଯୁବନେତାଙ୍କୁ ରାଜ୍ୟ ସଭାକୁ ପଠାଇବା ସପକ୍ଷରେ ରାହୁଲ ଗାନ୍ଧୀ ଅଛନ୍ତି। ଚଳିତ ବର୍ଷ କଂଗ୍ରେସର ୧୮ ଜଣ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେବେ ଦଳ କେବଳ ୯ ଜଣ ସଦସ୍ୟଙ୍କୁ ରାଜ୍ୟ ସଭାକୁ ପଠାଇବାକୁ ସକ୍ଷମ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନରୁ ପ୍ରିୟଙ୍କାଙ୍କୁ ରାଜ୍ୟ ସଭାକୁ ପଠାଇବା ପାଇଁ ଆଗ୍ରହୀ। ସୂଚନାଯୋଗ୍ୟ, ଏପ୍ରିଲ୍‌ରେ ରାଜସ୍ଥାନର ୩ ଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି।

Share