ପ୍ରିୟା ପିନ୍ଧିଲେ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆ’ ମୁକୁଟ

ମେଲବୋର୍ନ,୨୯।୬: ଭାରତୀୟ ବଂଶୋଦ୍ଭବ ୨୬ ବର୍ଷୀୟା ପ୍ରିୟା ସେରାଓ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆ ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ମେଲବୋର୍ନଠାରେ ଗୁରୁବାର ରାତିରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ୨୬ ଜଣଙ୍କୁ ପଛରେ ପକାଇ ପ୍ରିୟା ଏହି ସଫଳତା ହାସଲ କରିଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରିୟା ଅଷ୍ଟ୍ରେଲିଆରୁ ପ୍ରତିନିଧିତ୍ୱ କରିବେ। ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌ର ସୂଚନା ଅନୁଯାୟୀ, ପ୍ରିୟାଙ୍କ ଜନ୍ମ କର୍ନାଟକର ବେଲମାନ୍ନୁରେ ହୋଇଥିବା ବେଳେ ତାଙ୍କର ପାଳନପୋଷଣ ମଧ୍ୟପ୍ରାଚ୍ୟରେ ହୋଇଛି। ମାତ୍ର ୧୧ ବର୍ଷ ବୟସରେ ସେ ନିଜ ପରିବାର ସହ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ଆଇନରେ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Share