Categories: ଜାତୀୟ

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌କୁ ନା, ବରଯାତ୍ରୀରେ ନାଚି ପାରିବେନି ମହିଳା

ଭୋପାଳ,୧୦।୧୨: ମଧ୍ୟପ୍ରଦେଶ ଭୋପାଳର ଜୈନ ଓ ଗୁଜରାଟି ସମାଜ ସଙ୍ଗଠନ ଏକ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ବିବାହ ପୂର୍ବରୁ କରାଯାଉଥିବା ଫଟୋ ଶୁଟ୍‌କୁ ସଙ୍ଗଠନ ପକ୍ଷରୁ ବାରଣ କରାଯାଇଛି। କେବଳ ସେତିକି ନୁହେଁ ଝିଅଙ୍କ ସଙ୍ଗିତ ସେରିମନୀରେ ପୁରୁଷ କୋରିଓଗ୍ରାଫର ଆସି ପାରିବେ ନାହିଁ କି ମହିଳାମାନେ ବରଯାତ୍ରୀରେ ମଧ୍ୟ ନାଚି ପାରିବେ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ସେମାନେ କହିଛନ୍ତି ଏସବୁ ପ୍ରଥା ସେମାନଙ୍କ ସଂସ୍କୃତିର ବାହାରେ ଏବଂ ଏହା ସମାଜରେ ସମସ୍ୟା ସୃଷ୍ଟି କରୁଛି। ଏକ ସର୍କୁଲାର ଜରିଆରେ ଏହା ଜୈନ ଓ ଗୁଜରାଟି ସମ୍ପ୍ରଦାୟକୁ ଏହା ଜଣାଇ ଦିଆଯାଇଛି। ଭୋପାଳ ଗୁଜରାଟ ସମାଜର ଅଧ୍ୟକ୍ଷ ଓ ଗୁଜରାଟ ସମାଜର ଜାତୀୟ ସାଧାରଣ ସମ୍ପାଦକ ସଞ୍ଜୟ ପଟେଲ ଏହି ସୂଚନା ଦେଇଛନ୍ତି। ଆଉ ଯିଏ ଏହାକୁ ବିରୋଧ କରିବେ ତାଙ୍କୁ ସମ୍ପ୍ରଦାୟର ବାସନ୍ଦ କରାଯିବ। ଏହା ସାରା ଭାରତରେ ଥିବା ଗୁଜରାଟୀ ସମ୍ପ୍ରଦାୟ ପ୍ରତି ଲାଗୁ ହେବ ବୋଲି ସେ କହିଛନ୍ତି। ଭୋପାଳ ଜୈନ ସମାଜର ଅଧ୍ୟକ୍ଷ ପ୍ରମୋଦ ହିମାଂଶୁ କହିଛନ୍ତି ଜଣେ ଧର୍ମଗୁରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଓ ସଙ୍ଗିତରେ ପୁରୁଷ କୋରିଓଗ୍ରାଫରଙ୍କୁ ନେଇ ଅଶ୍ଳୀଳ କହି ଆପତ୍ତି କରିବାରୁ ଏମିତି ପଦକ୍ଷେପ ନିଆଯାଇଛି। ଏବେ ଏହାକୁ ନେଇ ଯୁବବର୍ଗ କହିଛନ୍ତି ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କେବଳ ଏକ ସ୍ମୃତି ଏଥିରେ କୌଣସି ଅଶ୍ଳୀଳତା ନାହିଁ। ଏହାବ୍ୟତୀତ ବିଭିନ୍ନ ପର୍ବକୁ ପାଳନ କରିବାକୁ ସମସ୍ତଙ୍କର ନିଜସ୍ବ ଅଧିକାର ରହିଛି।

Share