ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କେରଳ ଥିରୁଭାନନ୍ତପୁରମର ଏକ ଦମ୍ପତି ଏମିତି ଏକ ପ୍ରି ଓ୍ବେଡିଂ ଫଟୋ ଶୁଟ୍ କରି ସିଏଏ ଓ ଏନ୍ଆର୍ସିକୁ ବିରୋଧ କରିଥିବା ଦେଖାଯାଇଛି। ଜି. ଏଲ୍ ଅରୁଣ ଗୋପି ଓ ଆଶା ଶେଖର ନାମକ ଏହି ଦମ୍ପତି ଆସନ୍ତା ଜାନୁୟାରୀ ୩୧, ୨୦୨୦ରେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ‘Save the Date’ ଲେଖିବା ସହ ‘ନୋ ସିଏଏ’ ଓ ନୋ ‘ଏନ୍ଆର୍ସି’ ଲେଖି ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫାଷ୍ଟଲୁକ୍ ଫଟୋଗ୍ରାଫି ଦ୍ୱାରା ପ୍ରଥମେ ଏହା ଫେସ୍ବୁକରେ ଶେୟାର କରାଯିବା ପରେ ଏବେ ଏହା ଭାଇରାଲ ହୋଇଛି। ଅରୁଣ ଜଣେ ସରକାରୀ କର୍ମଚାରୀ ଭାବେ କାମ କରୁଥିବା ବେଳେ ଆଶା ପୂର୍ବରୁ ସାମ୍ବାଦିକତା କରୁଥିଲେ କିନ୍ତୁ ଏବେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏମାନଙ୍କ ଫଟୋ ଭାଇରାଲ ହେବା ପରେ କେହି କେହି ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେହି ଏହାକୁ ବିରୋଧ ମଧ୍ୟ କରୁଛନ୍ତି।