Categories: ରାଜ୍ୟ

ପ୍ରି-ଲିଟିଗେଶନ୍‌ ଡେସ୍କ ଉଦ୍‌ଘାଟିତ: ମାମଲା ହ୍ରାସ ସହ କମିବ ଅଭିଯୋଗକାରୀଙ୍କ ଖର୍ଚ୍ଚ

ଅନୁଗୋଳ ଅଫିସ, ୧।୬: ଅନୁଗୋଳ ଜିଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ପ୍ରାକ୍‌ ବିବାଦ ସମାଧାନ କେନ୍ଦ୍ର ବା ପ୍ରି-ଲିଟିଗେଶନ୍‌ ଡେସ୍କ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି। ରାଜ୍ୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଜଷ୍ଟିସ୍‌ କୁମାରୀ ସଞ୍ଜୁ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ରରେ ବୈବାହିକ ବିବାଦ, ପାରିବାରିକ କଳହ ଓ ଅନ୍ୟାନ୍ୟ ଅଦାଲତ ସମ୍ବନ୍ଧୀୟ ମକବ୍ଦମା ଦାୟର ପୂର୍ବରୁ ଆପୋଷ ସମାଧାନ କରାଯିବ। ପଡ଼ି ରହିଥିବା ମାମଲାଗୁଡ଼ିକୁ ହ୍ରାସ କରିବା ଓ ଅଭିଯୋଗକାରୀଙ୍କୁ ଖର୍ଚ୍ଚାନ୍ତରୁ ନିବୃତ୍ତ ରଖିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଛି। ଏହାଦ୍ୱାରା ଅନୁଗୋଳ ଜିଲାର ଜନସାଧାରଣ ଉପକୃତ ହେବେ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକ, ଅନୁଗୋଳ ଜିଲା ଦୌରାଜଜ୍‌ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସ, ଉପସଚିବ ଦୀପକ ରଞ୍ଜନ ସାହୁ, ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ (ଭିଜିଲାନ୍ସ) ରୂପଶ୍ରୀ ଚୌଧୁରୀ, ରେଜିଷ୍ଟ୍ରାର ବାସୁଦେବ ଆଚାର୍ଯ୍ୟ, ବରିଷ୍ଠ ଦେୱାନୀ ବିଚାରପତି ଲିଲିପ୍ତା ପଶାୟତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର, ପ୍ରୋବେସନ୍‌ର ଶ୍ରୁତି ସ୍ବରୂପା ସାହୁ ଓ ସଞ୍ଜୀବ ପଣ୍ଡା, ବରିଷ୍ଠ ଆଇନଜୀବୀ ସୁବାସ ମିଶ୍ର, ସରକାରୀ ଓକିଲ ପରମାନନ୍ଦ ମିଶ୍ର, ଅନୁଗୋଳ ବାର୍‌ ଆସୋସିଏଶନ ଉପସଭାପତି ମମତା ପଟ୍ଟନାୟକ, ଅନୁଗୋଳ ବାର୍‌ଆସୋସିଏଶନର ସମ୍ପାଦକ ହିମାଂଶୁ ଭୂଷଣ ସାମଲ ଓ ପୂର୍ବତନ ସଭାପତି ଦିଲୀପ କୁମାର ଦାସଙ୍କ ସମେତ ଜିଲା ଆଇନ ସେବା ପ୍ରାଧିକରଣ ସମସ୍ତ ମିଡିଏଟର, ଆଇନଜୀବୀ ଓ ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଅଭିନନ୍ଦିତା ପଣ୍ଡା ପରିଚାଳନା କରିଥିଲେ।

Share