ପ୍ରେମକୁ ମିଳିଲା ନାହିଁ ପରିବାରର ସ୍ବୀକୃତି: ଜୀବନ ହାରିଲେ ପ୍ରେମୀଯୁଗଳ

କବିସୂର୍ଯ୍ୟନଗର,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଞ୍ଚଳ ସୁନାପଲ୍ଲୀ ଗ୍ରାମରେ ଶନିବାର ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗ୍ରାମର ବିଜ୍ଞାନୀ ନାହକ ଓ କୈଳାସ ନାହକ। ସକାଳେ ଗ୍ରାମର ହରିଜନ ସାହି ନିକଟରେ ଥିବା ଏକ ଗଛରେ ଦୁଇଜଣଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସେମାନେ ପୋଲିସକୁ ଖବର ଦେଇଥିଲେ। କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପରିବାରଲୋକଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, କୈଳାସ-ବିଜ୍ଞାନୀ ପରସ୍ପରକୁ ଦୁଇବର୍ଷ ଧରି ପ୍ରେମ କରୁଥିଲେ। ଉଭୟେ ବିବାହ କରିବାକୁ ଚାହୁଁଥିଲେ ହେଁ ପରିବାର ପକ୍ଷରୁ ସ୍ବୀକୃତି ମିଳୁ ନ ଥିଲା। ଶୁକ୍ରବାର ମଧ୍ୟ ଗ୍ରାମରେ ବୈଠକ ଡକାଯାଇଥିଲା। ହେଲେ ଏଥିରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଅପରପକ୍ଷେ କୈଳାସ ବିଜ୍ଞାନୀଙ୍କୁ ନିଜ ଘରକୁ ନେଇଥିଲେ। ହେଲେ ତାଙ୍କ ବାପା ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହି ଉଭୟଙ୍କୁ ତଡ଼ି ଦେଇଥିଲେ। ଏହାକୁ ନେଇ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପରିବାରଲୋକେ ଅନୁମାନ କରୁଛନ୍ତି।

Share