ପ୍ରେମରୁ ମିଳିଲା ଦୃଷ୍ଟିଶକ୍ତି, ପରେ ଜିତିଲେ ଦୁନିଆ

ଔରଙ୍ଗାବାଦ୍‌: ଆଜି ଅର୍ଥାତ୍‌ ଫେବୃୟାରୀ ୧୪ରେ ସମଗ୍ର ଦେଶରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ। ଏହି ଖାସ୍‌ ଦିନରେ ଜାଣନ୍ତୁ ଜଣେ ଦିବ୍ୟାଙ୍ଗଙ୍କ ପ୍ରେମ କାହାଣୀ ସମ୍ପର୍କରେ…
ମହାରାଷ୍ଟ୍ରର ଔରଙ୍ଗାବାଦ୍‌ର ରହୁଥିବା ୩୮ ବର୍ଷୀୟ ଜଣେ ଦିବ୍ୟାଙ୍ଗ ନିକେତ ଦଲାଲ ଦୁବାଇରେ ହୋଇଥିବା ଆଇରନ୍‌ମ୍ୟାନ୍‌ ରେସ୍‌ରେ ଦ୍ୱିତୀୟ ବିଜେତା ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ବିଜୟ ହାସଲ କରିଛନ୍ତି। ପ୍ରେମ ଦିବସରେ ସେ କୁହନ୍ତି, ଆଜି ମୁଁ ଯେଉଁ ଜାଗାରେ ପହଞ୍ଚିଛି କେବଳ ମୋ’ ସ୍ତ୍ରୀ ପଲ୍ଲବୀଙ୍କ ପାଇଁ। ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରେମ ଅନ୍ଧ। ଏହା କେବେ ବି ମିଛ ନୁହେଁ ବୋଲି ମୁଁ କହିବି। ସେ କୁହନ୍ତି, ପିଲାବେଳେ ସାଇକେଲ୍‌ରେ ସ୍ପୋକ୍‌ ଲଗାଇବା ସମୟରେ ତାଙ୍କ ଆଖି ନଷ୍ଟ ହୋଇଗଲା। ପରେ ଲ୍ୟୁକେମିଆ ଯୋଗୁ ଆଉ ଗୋଟିଏ ଆଖି ମଧ୍ୟ ନଷ୍ଟ ହୋଇଗଲା। ଏହି ସମୟରେ ତାଙ୍କ ଜୀବନରେ ପଲ୍ଲବୀ ଆସିଲେ। ୧୯୯୬ରେ ପଲ୍ଲବୀ ୯ମରେ ପଢୁଥିବା ବେଳେ ସେ ମାଟ୍ରିକ୍‌ ପଢୁଥିଲେ। ତାଙ୍କର ଆଖି ନ ଥିବା ପଲ୍ଲବୀ ଜାଣି ମଧ୍ୟ ତାଙ୍କୁ ପ୍ରପୋଜ୍‌ କରିଥିଲେ। ଯାହାକୁ ସେ ଶବ୍ଦରେ ବି ପ୍ରକାଶ କରିପାରିବେନି ବୋଲି କହିଛନ୍ତି। ବିବାହ ମଧ୍ୟ ଏତେ ସହଜ ନ ଥିଲା। ଘର, ପରିବାର ଏବଂ ବନ୍ଧୁବାନ୍ଧବ କେହି ରାଜି ନ ଥିଲେ। ସମସ୍ତେ ପଲ୍ଲବୀଙ୍କୁ ବୁଝାଇଥିଲେ ଜୀବନ ବହୁ କଷ୍ଟକର ହୋଇପଡ଼ିବ। ମୁଁ ବି ଭାବି ନ ଥିଲି ପଲ୍ଲବୀ ମୋ’ ହାତ ଧରିବେ। ସେଥିପାଇଁ ପ୍ରସ୍ତୁତ ନ ଥିଲି। କିନ୍ତୁ ସେ ଥିଲେ ନଛୋଡ଼ବନ୍ଧା। ସବୁ ବାଧାବିଘ୍ନ ସତ୍ତ୍ୱେ ୨୦୦୮ରେ ଆମେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। ଏହା ଭିତରେ ଆମର ପୁଅଟିଏ ମଧ୍ୟ ହୋଇସାରିଛି। ପଲ୍ଲବୀ ମୋ’ ଆଖି, ମୋ’ ଶକ୍ତି। ତାଙ୍କ ଆଖିରେ ମୁଁ ଦୁନିଆ ଦେଖୁଛି। ପୁଅ ମୋ’ ଜୀବନ। ସେମାନଙ୍କ ଯୋଗୁ ମୋତେ ଆଜି ଏହି ଖୁସି ମିଳିଛି।

Share