ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି ମଧ୍ୟ ତାଙ୍କୁ ଅନେକ ଅନୁପ୍ରାଣିତ କରିଛି। ହେଲେ ଏହି ପ୍ରେମ ଯାତ୍ରାରେ ତମନ୍ନା ସଫଳ ହେଉଛନ୍ତି ତ ? ଏହାର ଉତ୍ତର ଦେବା ପୂର୍ବରୁ ଆଉ ଏକ କଥା ସୂଚାଇ ଦେବା ଠିକ୍‌ ହେବ। କଥା କ’ଣ କି ତମନ୍ନା ପ୍ରେମରେ ପଡ଼ିବା ସତ, ହେଲେ ଏହାର ସଂଯୋଗ ରହିଛି ତାଙ୍କର ଅଭିନୟ ଜୀବନ ସହ। ଅର୍ଥାତ୍‌, ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ସୁପରବୟ’ରେ ତାଙ୍କୁ ମିଳିଛି ଏପରି ଏକ ରୋମାଣ୍ଟିକ ଭୂମିକା। ଏଥିରେ ସେ ଏହାର ଟାଇଟଲ ଭୂମିକାରେ ଅଭିନୟ କରୁଥିବା ଜ୍ୟୋତିଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଉକ୍ତ ଚଳଚ୍ଚିତ୍ରରେ ନିଜ ଭୂମିକା ସମ୍ପର୍କରେ ତମନ୍ନା କହନ୍ତି, ‘ଏହି ଫିଲ୍ମରେ ମୁଁ ସାନ୍ୟା ଭୂମିକାରେ ଏବଂ ଜ୍ୟୋତି ପ୍ରେମ ଭୂମିକାରେ ଅଭିନୟ କରୁଛନ୍ତି। ହେଲେ ତାଙ୍କ ଭିତରେ ଥିବା ସେହି ସୁପର ଶକ୍ତି କ’ଣ ଏବଂ ତାହା ଦୁହିଁଙ୍କ ଜୀବନକୁ କିପରି ପ୍ରଭାବିତ କରୁଛି ତାହା ସିନେମା ଦେଖିଲେ ହିଁ ଜାଣିପାରିବେ।’ କେ. ଆନୀସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ସସପେନ୍ସ ଥ୍ରୀଲରରେ ଶୁଭାଶିଷ ଶର୍ମା (ମଣ୍ଟୁ) ନେଗେଟିଭ ଚରିତ୍ରରେ ଦେଖାଦେବେ।

Share