ପ୍ରେମିକର ବର୍ବରକାଣ୍ଡ: ପ୍ରେମିକାଙ୍କ ବେକ କାଟିଦେଲେ

କାମାକ୍ଷାନଗର, ୨୧।୮(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ପିଛା କରି ସୁନ୍ଦରଗଡ଼ରୁ ଚାଲିଆସିଲେ ଢେଙ୍କାନାଳ। ରାତାରାତି ତାଙ୍କୁ ଧରି ଫେରାର ହୋଇଯିବାକୁ କରିଥିଲେ ଯୋଜନା। ହେଲେ ଏଥିରେ ଯୁବତୀ ଜଣକ ଅନିଚ୍ଛା ପ୍ରକାଶ କରିବାରୁ ରକ୍ତମୁଖା ହୋଇଉଠିଲେ ପ୍ରେମିକ। ହିତାହିତ ଜ୍ଞାନ ହରାଇ ଧାରୁଆ ଛୁରିରେ କାଟିଦେଲେ ପ୍ରେମିକାଙ୍କ ତଣ୍ଟି। କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଘଟିଥିବା ଏପରି ସ୍ପର୍ଶକାତର ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ। ପୋଲିସ ସୂଚନା ପାଇ ଖୋଳତାଡ଼ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀ ଏବଂ ଯୁବକଙ୍କର ଘର ସୁନ୍ଦରଗଡ଼ ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଯୁବତୀ ଜଣକ କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ରହୁଥିବା ନିଜ ଉଭଣୀଙ୍କ ଘରକୁ ଆସିଥିଲେ। ତାଙ୍କୁ ପିଛା କରି ସମ୍ପୃକ୍ତ ଯୁବକ ମଧ୍ୟ ଉକ୍ତ ଗ୍ରାମକୁ ଆସିଥିଲେ। ମଙ୍ଗଳବାର ରାତିରେ ଯୁବତୀ ଜଣକ ପରିସ୍ରା କରିବାକୁ ଉଠିଥିବାବେଳେ ପ୍ରେମିକ ପହଞ୍ଚତ୍ ତାଙ୍କ ସହ ଫେରାର ହୋଇଯିବାକୁ ବାଧ୍ୟ କରିଥିଲେ। ଏଥିରେ ଅନିଚ୍ଛା ପ୍ରକାଶ କରିବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଯୁବକ ଯୁବତୀଙ୍କ ବେକ, ହାତକୁ ତୀକ୍ଷ୍ମ ଛୁରିରେ କାଟି ପକାଇଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏ ନେଇ କଙ୍କଡ଼ାହାଡ଼ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା କୁହନ୍ତି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି। ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ତାଙ୍କ ନାମ ଗୋପନ ରଖାଯାଇଛି। ଯୁବତୀ ଗୁରୁତର ଥିବାରୁ କଥାବାର୍ତ୍ତା କରିପାରୁନାହାନ୍ତି। ତାଙ୍କ ବୟାନ ରେକର୍ଡ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।