ପ୍ରେମିକାକୁ ହତ୍ୟା କରିବା ପୂର୍ବରୁ ଇଣ୍ଟରନେଟ୍‌ରୁ ବନ୍ଧୁକ ତିଆରି କଳା ଶିଖିଥିଲେ ପ୍ରେମିକ

କୋଲକାତା, ୨୧।୬- ପ୍ରଥମେ ଇଣ୍ଟରନେଟ୍‌ରୁ ବନ୍ଧୁକ ତିଆରି କରିବା କଳା ଶିଖିଲେ। ଏହାପରେ ନିଜେ ପ୍ରସ୍ତୁତ କରିଥିବା ସେହି ହାତ ତିଆରି ବନ୍ଧୁକରେ ପୂର୍ବତନ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କଲେ। କୋଲକାତାରେ ଘଟିଥିବା ଏଭଳି ଏକ ବିରଳ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଦକ୍ଷିଣ କୋଲକାତାର ୨୬ ବର୍ଷୀୟ ଜଣେ ଟ୍ୟାକ୍ସି ଚାଳକ ଶନିବାର ନିଜ ପୂର୍ବତନ ପ୍ରେମିକାକୁ ଗୁଳି କରି ହତ୍ୟା କରିଥିଲେ। ରାକେଶ ହାଲ୍‌ଦାର ନାମକ ଏହି ବ୍ୟକ୍ତି ଜଣଙ୍କ ବିବାହିତ ଥିଲେ ମଧ୍ୟ ଆନନ୍ଦପଲ୍ଲୀ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ କୌଣସି କାରଣରୁ ପ୍ରେମିକା ଜଣଙ୍କ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏଥିରେ ରାଗିଯାଇ ରାକେଶ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିଲେ। ପ୍ରେମିକାକୁ ଗୁଳି କରି ହତ୍ୟା କରିବାକୁ ରାକେଶ ଯୋଜନା କରିଥିଲେ। ଏଥିପାଇଁ ସେ ପ୍ରଥମେ ବନ୍ଧୁକ କିପରି ତିଆରି ହୁଏ ସେସବୁ ଭିଡିଓକୁ ଇଣ୍ଟରନେଟ୍‌ ଦେଖିଥିଲେ। ଏହାପରେ ନିଜେ ଘରେ ସିଙ୍ଗଲ-ଶଟ୍‌ ପିସ୍ତଲ ତିଆରି କରିଥିଲେ ବୋଲି କୋଲକାତା ପୋଲିସର ଯୁଗ୍ମ କମିଶନର (କ୍ରାଇମ) ମୁରଲୀଧର ଶର୍ମା କହିଛନ୍ତି। ଏହି ବନ୍ଧୁକ ନେଇ ସେ ଶୋଇଥିବା ଅବସ୍ଥାରେ ନିଜ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Share