ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ, ବାହାହୋଇ ଫେରିଲେ

ଅମରପାଲି,୨୪ା୫(ଡି.ଏନ.ଏ.): କୋଭିଡ୍‌-୧୯ କଟକଣା ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏପରି ପରିସ୍ଥିତି ଯୋଗୁ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବହୁ କଷ୍ଟରେ ଦେଖା କରିବାକୁ ଆସିଥିଲେ। ହେଲେ ଏ କଥା ଗ୍ରାମବାସୀ ଜାଣିବା ପରେ ସମ୍ପୃକ୍ତ ଯୁବକଙ୍କ ସହିତ ତାଙ୍କ ପ୍ରେମିକାଙ୍କ ବିବାହ ସମ୍ପନ୍ନ କରାଇଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଗ୍ରାମରେ ଘଟିଥିବା ଏହି ରୋଚକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତ୍ରି ପ୍ରାୟ ୧୦ ସମୟରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତର ଗଇଲଗୁଡି ଗ୍ରାମର କାର୍ତ୍ତିକ ଝାଙ୍କର (୨୬) ଦାଦରପାଲିରେ ରହୁଥିବା ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ବହୁ କଷ୍ଟରେ ଆସିଥିଲେ। ପ୍ରେମିକାଙ୍କ ସହ ତାଙ୍କ ସାକ୍ଷାତ୍‌ ହୋଇଥିଲା। ପ୍ରାୟ ୨ଘଣ୍ଟା ହସଖୁସିରେ ଦୁହେଁ ବୁଡି ରହିଥିଲେ। ଏମିତି କଥାବାର୍ତ୍ତା ଚାଲିଥିବାବେଳେ ଥକି ପଡିଥିବା କାର୍ତ୍ତିକ ପ୍ରେମିକାଙ୍କ ଘରେ ଶୋଇପଡ଼ିଥିଲେ। ଯୁବତୀଙ୍କ ପରିବାର ଲୋକେ କାର୍ତ୍ତିକଙ୍କୁ ଦେଖି ଗ୍ରାମବାସୀଙ୍କୁ ଏ କଥା ଜଣାଇଥିଲେ। ଶେଷରେ ଗ୍ରାମବାସୀ ତାଙ୍କୁ କାବୁ କରିବା ସହିତ କେତେଦିନ ହେଲା ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି ପଚାରି ବୁଝିଥିଲେ। ଏନେଇ ସେହି ରାତିରେ ଗ୍ରାମରେ ଏକ ସଭା ବସିଥିଲା। ସଭାରେ ଯୁବକ ଜଣକ ସମ୍ପୃକ୍ତା ଯୁବତୀଙ୍କ ସହିତ ତାଙ୍କର ୫ବର୍ଷର ପ୍ରେମ ସମ୍ପର୍କ ଅଛି। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ। ଉଭୟ ପକ୍ଷର ସମ୍ମତି ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ଥାନୀୟ ଦାଦରପାଲି ଭାଗବତ ମନ୍ଦିର ସମ୍ମୁଖରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ କରାଯାଇଥିଲା।

Share