Categories: ଫୁରସତ

ପ୍ରେମିକାଙ୍କୁ ମନାଇବା ପାଇଁ ଯବାନ କଲେ ଏମିତି, ଫଟୋ ଭାଇରାଲ

ମସ୍କୋ: ଋଷିୟାନ୍‌ ସେନାର ଜଣେ ଯବାନ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଏମିତି କିଛି କରିଛନ୍ତି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବାରମ୍ବାର ମନାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ଏମିତି କିଛି ପ୍ଲାନିଂ କଲେ ଯେଉଁଥିରେ ପ୍ରେମିକା ତାଙ୍କ ପ୍ରେମକୁ ଗ୍ରହଣ କରିନେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ଋଷିୟାନ ସେନାର ପ୍ଲାଟୁନ୍‌ କମାଣ୍ଡର ଡେନିସ୍‌ କଞ୍ଜେଟସେବ୍‌ ୧୬ଟି ଟ୍ୟାଙ୍କରରେ ହାର୍ଟ ସେପ୍‌ କରି ତାଙ୍କ ପ୍ରେମିକାଙ୍କ ନିକଟରେ ପ୍ରେମ ଜାହିର କରିଛନ୍ତି। ଖାସ୍‌କରି ପ୍ରେମିକାଙ୍କୁ ମନାଇବା ପାଇଁ ଡେନିସ୍‌ ଏପରି ଭିନ୍ନ ତରିକା ଆପଣାଇଛନ୍ତି।

ଡେନିସ୍‌ ମସ୍କୋର ଏଲୋବିନୋ ଟ୍ରେନିଂ ଗ୍ରାଉଣ୍ଡ୍‌ରେ ଏହି ହାର୍ଟ ସେପ୍‌ ତିଆରି କରିବା ପାଇଁ ଟି-୭୨ ବି ୨ ଟ୍ୟାଙ୍କର ବ୍ୟବହାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡେନିସ୍‌ ତାଙ୍କ ୨୦ ବର୍ଷୀୟା ପ୍ରେମିକା ଆଲେକ୍‌ଜାଣ୍ଡ୍ରା କୋପିଟୋଭାଙ୍କୁ ଗ୍ରାଉଣ୍ଡ୍‌ ମଧ୍ୟକୁ ନେଇ ତାଙ୍କ ସାମ୍ନାରେ ହୃଦୟର କଥା କହୁଥିବା ଦେଖିବାକୁ ମିଳିଛି। ଏଥିରେ ଡେନିସ୍‌ ପ୍ରେମିକାଙ୍କୁ ପଚାରୁଛନ୍ତି ତୁମେ ମୋତେ ବିବାହ କରିବ କି ନାହିଁ? କୋପିଟୋଭା ବି ବେଶ୍‌ ରୋମାଣ୍ଟିକ୍‌ ମୁଡ୍‌ରେ ଉତ୍ତର ରଖିଛନ୍ତି, ଏହା ମୋ’ ଜୀବନର ସ୍ମରଣୀୟ ଦିନ। ମୁଁ ବି ମୋ’ ଭାବନାକୁ ଅଟକାଇ ପାରୁନାହିଁ।

ଡେନିସ୍‌ କୁହନ୍ତି, କୋପିଟୋଭାଙ୍କୁ ମନାଇବା ବହୁ କଷ୍ଟକର ଥିଲା। ଏହା ପୂର୍ବରୁ ସେ ବହୁବାର ଚେଷ୍ଟା କରି ବିଫଳ ହୋଇଥିଲେ। କାରଣ ତାଙ୍କ କଥାକୁ କୋପିଟୋଭା ଟାଳି ଚାଲିଥିଲେ। ଶେଷରେ ଏପରି ତରିକା ଆପଣାଇବାକୁ ପଡ଼ିଲା ବୋଲି କୁହନ୍ତି ଡେନିସ୍‌। ଆଉ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି।

Share