ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

କଟକ ଅଫିସ,୪ା୩: ମଙ୍ଗଳାବାଗ ଥାନା ଅଧୀନ ମହ୍ଲାସାହିର ବିଶ୍ୱନାଥ ଭୂୟଁା(୨୫) ସୋମବାର ଅପରାହ୍ନ ୫ଟାରେ ବେକରେ ଗାମୁଛା ବାନ୍ଧି ଘରେ ଆତ୍ମହତ୍ୟା କରିଥିଲେ। ତେବେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଏହି ଆତ୍ମହତ୍ୟା ପାଇଁ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତିି ବିଶ୍ୱନାଥଙ୍କ ସମ୍ପର୍କୀୟ। ତୁରନ୍ତ ଘଟଣାର ଉପଯୁକ୍ତ ତଦନ୍ତ ଓ ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ମଙ୍ଗଳାବାଗ ଟ୍ରାଫିକ ନିକଟ ରାସ୍ତାରେ ବିଶ୍ୱନାଥଙ୍କ ମୃତଦେହ ରଖିବା ସହ ଟାୟାର ଜାଳି ସମ୍ପର୍କୀୟମାନେ ରାସ୍ତାରୋକୋ କରିଥିଲେ। ଫଳରେ ଗାଡି ଚଳାଚଳରେ ସମସ୍ୟା ହୋଇଥିଲା। ଖବରପାଇ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆଇନ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ମଙ୍ଗଳବାର ରାତିରେ କାଳିଆବୋଦାସ୍ଥିତ ଶ୍ମଶାନରେ ବିଶ୍ୱନାଥଙ୍କ ମୃତଦେହ ସତ୍କାର କରାଯାଇଥିଲା।

୭ ଘଣ୍ଟା ବିଳମ୍ବରେ ପହଞ୍ଚିଲା ପୋଲିସ
ବିଶ୍ୱନାଥ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲିଥିବା ସୋମବାର ଅପରାହ୍ନ ପ୍ରାୟ ୫ଟାରେ ପରିବାର ଲୋକେ ଦେଖିବା ପରେ ମଙ୍ଗଳାବାଗ ଥାନାକୁ ଖବର ଦେଇଥିଲେ। ହେଲେ ପୋଲିସ ରାତି ୧୨ଟାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତେବେ ୭ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ପୋଲିସର ଦାୟିତ୍ୱହୀନତାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ପ୍ରଶ୍ନ ଉଠାଇଥିଲେ।
ସୁଇସାଇଡ୍‌ ନୋଟ୍‌ ଜବତ
ବିଶ୍ୱନାଥଙ୍କ ପାଖରୁ ପୋଲିସ ଏକ ସୁଇସାଇଡ୍‌ ନୋଟ ଜବତ କରିଥିଲା। ଯେଉଁଥିରେ ତାଙ୍କ ପ୍ରେମିକାଙ୍କ ବିବାହ ଅନ୍ୟତ୍ର ହେଉଛି ଓ ଏହାକୁ ସେ ସହି ନପାରି ଆତ୍ମହତ୍ୟା କରୁଛି ବୋଲି ଉଲ୍ଲେଖ ରହିଥିଲା। ଇଂଲିଶ ଅକ୍ଷରରେ ନିଜର କଥାକୁ ଓଡ଼ିଆ ଭାଷାରେ ବିଶ୍ୱନାଥ ଲେଖିଛନ୍ତି ବୋଲି ଜଣାପଡିଛି। ଏହାଛଡ଼ା ମୃତଦେହ ସତ୍କାର ସମୟରେ ତାଙ୍କ ଫୋନକୁ ଜାଳିଦେବା ପାଇଁ ମଧ୍ୟ ସୁଇସାଇଡ ନୋଟ୍‌ରେ ଉଲ୍ଲେଖ ଥିଲା।
ପୋଷ୍ଟମର୍ଟମ ସମୟରେ ଆସିଲା ଟୁଇଷ୍ଟ
ଶାର୍ଟ ଖୋଲିବା ପରେ ପିଠିରେ ମାଡ଼ ଦାଗ
ବିଶ୍ୱନାଥଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବାବେଳେ ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା। ତାଙ୍କ ଶାର୍ଟ ଖୋଲିବା ବେଳକୁ ପିଠି ସାରା ମାଡ଼ ଦାଗ ରହିଥିଲା। ଏଣୁ ତାଙ୍କୁ ସୋମବାର ମାଡ଼ ମରାଯିବା ସହ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ପରିବାର ଲୋକ ଓ ତାଙ୍କ ସମ୍ପର୍କୀୟମାନେ ପ୍ରେମିକାଙ୍କ ସମ୍ପର୍କୀୟଙ୍କୁ ଦାୟୀ କରିଥିଲେ।
ମାଟ୍ରିକ ପରୀକ୍ଷା ଦେଇଥିଲେ
ବିଶ୍ୱନାଥ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଭାବେ ସୋମବାର ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ସେ ସାଲେପୁରର ଏକ ପରୀକ୍ଷା କେନ୍ଦ୍ରରେ ଚଳିତବର୍ଷ ପରୀକ୍ଷା ଦେଇଥିଲେ। ବାଟରେ ଫେରିବା ବେଳେ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାକୁ ଫୋନ କରି ଘରକୁ ଆସି ଟଙ୍କା ନେଇଯିବାକୁ ମଧ୍ୟ କହିଥିଲେ। ସଂସ୍ଥାର କର୍ମଚାରୀ ଜଣକ ମଧ୍ୟ ଘରକୁ ଆସି ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ବିଶ୍ୱନାଥ ସିସିଟିଭି ମରାମତି କାର୍ଯ୍ୟ କରନ୍ତି।

Share