ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ ସମ୍ପୃକ୍ତ ଯୁବକ ଗୁଲସନ ମହାନ୍ତଙ୍କୁ ବୁଧବାର ଗିରଫ କରିଛି। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୦୩/୧୯) ରୁଜୁ କରିଛି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଯୁବକଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରିଣୀ ସ୍ବର୍ଣ୍ଣଲତା ମିଞ୍ଜ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ପରବର୍ତ୍ତୀ ସମୟରେ ଗୁଲସନ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଯୁବତୀ ଏହା ଜାଣିବା ପରେ ତାଙ୍କ ସହ ଆଉ ସମ୍ପର୍କ ରଖି ନ ଥିଲେ। ଏଥିରେ ଗୁଲସନ ରାଗିଯାଇ ସେମାନେ ପୂର୍ବରୁ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

Share