ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯- ମୟୁରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧିନ ଧନପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ ସମ୍ପୃକ୍ତ ଯୁବକ ଗୁଲସନ ମହନ୍ତଙ୍କୁ ବୁଧବାର ଗିରଫ କରିଛି। ଥାନାରେ ଯୁବତୀଙ୍କ ଅଭିଯୋଗଙ୍କୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ. ୧୦୩/୧୯) ରୁଜୁ କରିଛି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନସ୍ବରୂପ ଯୁବକଙ୍କୁ ଗିରଫ କରାଯାଇଥିବା ଥାନା ଅଧିକରିଣୀ ସ୍ବର୍ଣ୍ଣାଲତା ମିଞ୍ଜ କହିଛନ୍ତି। ଗୁରୁବାର ଗୁଲସନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ଗୁଲସନ୍‌ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଯୁବତୀ ଏହା ଜାଣିବା ପରେ ତାଙ୍କ ସହ ଆଉ ସମ୍ପର୍କ ରଖି ନ ଥିଲେ। ଏଥିରେ ଗୁଲସନ୍‌ ରାଗିଯାଇ ସେମାନେ ବିତାଇ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ (ଫେସବୁକ/ହାଟ୍ସଆପ) ରେ ଭାଇରଲ କରିଥିଲେ।

Share