Categories: ରାଜ୍ୟ

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ହେଲେ ଏଭଳି ଏକ ସମାନ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଘଟିଛି। ପ୍ରେମିକାକୁ ଖୁସି କରିବାକୁ ଯାଇ ଲୁଟ୍‌ ଟଙ୍କାରେ ସୁନା ଗହଣା କିଣି ଦେବା ପରେ ପୋଲିସ ଜାଲରେ ପଡ଼ିଛନ୍ତି ପ୍ରେମିକ। ପ୍ରେମିକା ଘରୁ ପୋଲିସ ଦାମୀ ଉପହାର ଜବତ କରିବା ସହ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତିଶେଖର ସୂଚନା ଦେବା ପରେ ସବୁଆଡ଼େ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଯୁକ୍ତ ହେଲେ ଡେରାବିଶ ଥାନା ସବଳଙ୍ଗ କଣିପଡ଼ାର ପ୍ରକାଶ ଦାସ। ସୂଚନା ମୁତାବକ, ଗତ ୪ ତାରିଖରେ ପ୍ରକାଶଙ୍କ ଗାଡ଼ି ଡିକିରୁ ୭, ୭୬, ୨୧୨ ଟଙ୍କା ଚୋରି ହୋଇଯାଇଥିବା ସେ ୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ସେ ତରାଣ୍ଡୋସ୍ଥିତ ଏନ୍‌ଟେକ୍ସ ଟ୍ରାନ୍ସପୋର୍ଟେଶନ ସର୍ଭିସର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ଗତ ୪ ତାରିଖରେ ଅଫିସର ୭,୭୬,୨୧୨ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ। ହେଲେ ସର୍ଭର ନ ଥିବାରୁ ସେଦିନ ଟଙ୍କା ଜମା ହୋଇପାରି ନ ଥିଲା। ବ୍ୟାଙ୍କରୁ ଫେରି ଅଫିସରେ ପହଞ୍ଚିବା ପରେ ଗାଡ଼ି ଡିକି ଖୋଲିବାବେଳକୁ ସେଥିରେ ଟଙ୍କା ନ ଥିବା ସେ ଜାଣିବାକୁ ପାଇଥିଲେ ବୋଲି ପ୍ରକାଶ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ତେବେ ସେ ଯେଉଁ ବାଇକ୍‌ ନେଇ ବ୍ୟାଙ୍କ ଯାଇଥିଲେ, ସେ ଗାଡ଼ିର ଡିକି ଭଙ୍ଗାଯାଇ ନ ଥିବା ଜଣାପଡ଼ିବା ପରେ ପୋଲିସର ପ୍ରକାଶଙ୍କ ଉପରେ ସନ୍ଦେହ ହୋଇଥିଲା। ତେବେ ତଦନ୍ତ ସମୟରେ ପ୍ରକାଶଙ୍କ ନିକଟରୁ ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହ ଏକ ଆଲମିରା, ଏୟାରକୁଲର ଆଦି ପୋଲିସ ଜବତ କରିଥିଲା। ଏଥିସହ ସେହି ଲୁଟ୍‌ ଟଙ୍କାରେ ପ୍ରକାଶ ତାଙ୍କ ପ୍ରେମିକାଙ୍କୁ ଦେଇଥିବା ଦାମୀ ସୁନା ଅଳଙ୍କାର ମଧ୍ୟ ତଦନ୍ତବେଳେ ପୋଲିସ ହାତରେ ଲାଗିଥିଲା। ଫଳରେ ପୋଲିସ ପ୍ରକାଶଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତିଶେଖର ଓ ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।

Share