ପ୍ରେମ ଏଟିଏମ୍‌

ପ୍ରେମ ଏଟିଏମ୍‌-ଏ କଥା ଶୁଣି ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। କାରଣ ଆଜିକାଲିର ଡିଜିଟାଲ ଯୁଗରେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌ ବ୍ୟବସ୍ଥା କରାଯାଇଛି। କିନ୍ତୁ ପ୍ରେମ ଏଟିଏମ୍‌ ପଛରେ କି ରହସ୍ୟ ରହିଛି ତାହା ତ ନିଶ୍ଚୟ ଜାଣିବେ, ହେଲେ ସିନେମାଟି ଦେଖିଲା ପରେ। କଥା କ’ଣ କି, ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶନାରେ ଏହାର ଶୁଟିଂ ଚାଲୁ ରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ ଝିଅକୁ ବିବାହ ପରେ ସେ କୋଟିପତି ହେବାର ସ୍ବପ୍ନ ଦେଖେ। ଠିକ୍‌ ସେତିକିବେଳେ ତା’ ଜୀବନ ରାସ୍ତାରେ ପାଦ ଦିଏ ରୂପସୀ ଆରାଧନା। ଆଉ ତା’ପରେ? ତାକୁ ଦେଖିବା ପରେ ତାହାର କୋଟିପତି ହେବାର ଆଶା ପୂରଣ ହୁଏ କି? ପୂର୍ବରୁ ବିବାହ କରିଥିଲେ ମଧ୍ୟ ସୁନ୍ଦରୀ ଆରାଧନାକୁ ପ୍ରେମା ଆପଣେଇ ନିଏ କି? ବିବାହ ପରେ ଏପରି ସମ୍ପର୍କ ବିଷୟରେ ପ୍ରେମାର ପତ୍ନୀ ଜାଣିବା ପରେ ସେମାନଙ୍କ ବୈବାହିକ ଜୀବନ କିପରି କଟେ? ଏ ସବୁର ଉତ୍ତର ରହିଛି ଏହି ସିନେମାରେ। ନବାଗତ ପ୍ରଯୋଜକ ସୁରେନ୍ଦ୍ର ନାରାୟଣ ପ୍ରଧାନ ଏବଂ ନବନୀତା ମିଶ୍ର ଚିତ୍ରଟିର ପ୍ରଯୋଜନା କରିଛନ୍ତି। ଡ. ନିର୍ମଳ ନାୟକଙ୍କ ରଚିତ ପାଞ୍ଚଟି ଗୀତକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଚଳଚ୍ଚିତ୍ରର ନାୟକ (ପ୍ରେମା) ଭାବରେ ପ୍ରଦୀପ ଦତ୍ତ ଅଭିନୟ କରୁଥିବା ବେଳେ ତାଙ୍କର ନାୟିକା ସାଜିଛନ୍ତି ଦିବ୍ୟା। ଏମାନଙ୍କ ବ୍ୟତୀତ ଲିପିକା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ସ୍ନିଗ୍‌ଧା ମହାନ୍ତି ଏବଂ ଗୁଡ୍ଡୁ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।

Share