ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଅପହରଣ: କଟକରୁ ଅପହୃତା ଉଦ୍ଧାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ପ୍ରେମ ଜାଲରେ ଫସାଇ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ କଟକରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କୋଚସାହିର ଚିନୁ ମହାରଣା (୨୦)। ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଅଭିଯୁକ୍ତକୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଅଭିଯୁକ୍ତ ଚିନୁ ଜଣେ ୱେଲଡିଂ ମିସ୍ତ୍ରୀ ଭାବେ କଟକରେ କାମ କରନ୍ତି। ମଝିରେ ମଝିରେ ସେ ଭୁବନେଶ୍ୱର କାମ କରିବାକୁ ଆସିଥାନ୍ତି। ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ଜଣେ ନାବାଳିକାଙ୍କ ସହ ତାଙ୍କର ଦେଖା ହେବା ପରେ ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୧୭ ତାରିଖରେ ଚିନୁ ତାଙ୍କୁ ବୁଲାଇବାକୁ ନେଇ ସାଙ୍ଗରେ ଧରି ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ନାବାଳିକାଙ୍କ ପିତା ଗତ ଡିସେମ୍ବର ୧୪ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ କେସ୍‌ (ନଂ. ୬୫୬/୧୯) ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।

Share