ପ୍ରେମ ନିବେଦନ କରି ବନ ବିଭାଗ କର୍ମଚାରୀ ଗିରଫ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆସ୍ଥିତ ବନ ବିଭାଗରେ ଟ୍ରେନିଂ ନେଉଥିବା ସହକର୍ମୀ ଯୁବତୀଙ୍କୁ ଏକତରଫା ପ୍ରେମ ନିବେଦନ କରି ହଇରାଣ କରୁଥିବା ଯୁବକଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେ ହେଲେ ସମ୍ବଲପୁର ସଦର ଥାନା ଅଞ୍ଚଳର ବିଶ୍ୱଜିତ୍‌ ରାଉତ। ସୂଚନା ମୁତାବକ ବିଶ୍ୱଜିତ୍‌ ଘାଟିକିଆରେ ଥିବା ଫରେଷ୍ଟ ଡିପାର୍ଟମେଣ୍ଟ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ୍‌ ନେଉଥିଲେ। ସେଠାରେ ମଧ୍ୟ ତାଲିମ ନେଉଥିଲେ ଜଣେ ଯୁବତୀ। ଗତ କିଛିଦିନ ହେବ ବିଶ୍ୱଜିତ୍‌ ଏକତରଫା ପ୍ରେମ କରି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଯୁବତୀ ଜଣଙ୍କ ରାଜି ନ ହେବା ସହ ବିରୋଧ କରିଥିଲେ। ହେଲେ ମାନି ନ ଥିଲେ ବିଶ୍ୱଜିତ । ବାରମ୍ବାର ହଇରାଣ କରିଥିଲେ। ଯୁବତୀ ଜଣଙ୍କ ଟ୍ରେନିଂ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ପରବର୍ତ୍ତୀ ସମୟରେ ବିଶ୍ୱଜିତ ତାଙ୍କୁ ଟଣା ଓଟରା କରିବା ସହ ମାଡ଼ ମାରି ତାଙ୍କ ମୋବାଇଲ ଫୋନ୍‌ ଭାଙ୍ଗି ଦେଇଥିଲେ। ଏନେଇ ଯୁବତୀ ଜଣଙ୍କ ମଙ୍ଗଳବାର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୦୩/୨୦ନମ୍ବରରେ ମାମଲା ରୁଜୁକରି ବିଶ୍ୱଜିତଙ୍କୁ ବୁଧବାର କୋର୍ଟଚାଲାଣ କରିଛି।

Share