ପ୍ରେମ ପାଇଁ ହିଂସା: ନାବାଳିକାଙ୍କ ଗଳା କାଟିଲେ ଯୁବତୀ

ସଜନାଗଡ଼, ୧୮।୧(ଡି.ଏନ.ଏ.)-ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳରେ ପ୍ରେମ ପାଇ ହିଂସାକାଣ୍ଡ ଘଟିଛି। ଜଣେ ଯୁବତୀ ବ୍ଲେଡ଼ରେ ଅନ୍ୟ ଜଣେ ନାବାଳିକାଙ୍କ ଗଳା, ଛାତି, ବାମପଟ ଗାଲ କାଟି ରକ୍ତାକ୍ତ କରିପକାଇଛନ୍ତି। ଏହି ମରଣାନ୍ତକ ଆକ୍ରମଣ ନେଇ ନୀଳଗିରି ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିବା ଏଏସ୍‌ଆଇ ଶରତ ଚନ୍ଦ୍ର ଧଳ ପ୍ରକାଶ କରିଛନ୍ତି।
ଉକ୍ତ ନାବାଳିକା ଶନିବାର ମିତ୍ରପୁରସ୍ଥିତ ଚାଚାଜୀ ହାଇସ୍କୁଲ ପଛପଟ ଗାଡ଼ିଆକୁ ମଧ୍ୟାହ୍ନ ୧୨ଟା ବେଳେ ଗାଧୋଇବାକୁ ଯାଇଥିବାବେଳେ ଅନ୍ୟ ଜଣେ ଯୁବତୀ ତାଙ୍କୁ ଅଟକାଇଥିଲେ। ସେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ପ୍ରେମିକଙ୍କୁ କାହିଁକି ଭଲପାଉଛୁ ବୋଲି କହି ଟଣାଓଟରା କରିଥିଲେ। ଏହାପରେ ସେ ଲୁଚେଇ ରଖିଥିବା ଏକ ବ୍ଲେଡ଼ରେ ନାବାଳିକାଙ୍କ ଗଳା, ଛାତି, ବାମପଟ ଗାଲ କାଟି ଦେଇଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଆସିବାରୁ ଉକ୍ତ ଯୁବତୀ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଖବରପାଇ କାମ କରିବାକୁ ଯାଇଥିବା ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ପରାମର୍ଶକ୍ରମେ ଝିଅକୁ ନୀଳଗିରି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ପରେ ଘଟଣା ବିଷୟରେ ଆହତ ନାବାଳିକାଙ୍କ ମା’ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ।