Categories: ଜାତୀୟ

ପ୍ରେମ ବିବାହକୁ ନା, ଦ୍ୱିତୀୟ ବିବାହକୁ ମିଳିବ ପ୍ରୋତ୍ସାହନ: କର୍ନାଟକ ସରକାର

ବେଙ୍ଗାଲୁରୁ,୨।୧୧: ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱାଧିନ କର୍ନାଟକ ସରକାର ଏବେ ସାମୁହିକ ବିବାହର ଆୟୋଜନ କରିବାକୁ ଯାଉଛନ୍ତି। ଏହା ବର୍ଷକୁ ୨ ଥର ଆୟୋଜନ କରାଯିବ। ହେଲେ ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏଥିରେ ଗ୍ରହଣ କରାଯିବ ନାହିଁ । ସରକାର ଏଥିପାଇଁ କେବଳ ଗରିବ ପୁଅଝିଅଙ୍କୁ ବାଛିବେ ବୋଲି ଜଣାପଡିଛି। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ଏହି ବିବାହରେ ଉଭୟ ପରିବାରର ଅଭିଭାବକମାନେ ଯୋଗ ଦେଇପାରିବେ। ଏହି ସାମୁହିକ ବିବାହ ଆସନ୍ତା ବର୍ଷ ଏପ୍ରିଲ ୨୬ ଓ ମେ୨୪ରେ ଅନୁଷ୍ଠିତ ହେବ। ମୁଜରାଇ ବିଭାଗ ଅଧିନରେ ଆସୁଥିବା ମନ୍ଦିର ଗୁଡିକରେ ଏହି ବିବାହ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗରିବ ପରିବାରର ପିଲାଙ୍କୁ ସାହାଯ୍ୟ ପ୍ରଦାନ କରିବା। ଏଥିରେ ସରକାରଙ୍କ ତରଫରୁ ବିବାହ କରିବାକୁ ଯାଉଥିବା କନ୍ୟାଙ୍କୁ ୪୦ ହଜାର ଟଙ୍କାର ଏକ ମଙ୍ଗଳସୂତ୍ର ଓ ୫ ହଜାର ଟଙ୍କା ପ୍ରଦାନ କରାଯିବ। କେବଳ ସେତିକି ନୁହେଁ ବିବାହ ପରେ କନ୍ୟା ହାତରେ ଆଉ ୧୦ ହଜାର ଟଙ୍କା ମଧ୍ୟ ଦିଆଯିବ। ୯୦-୧୦୦ଟି ମନ୍ଦିରରେ ପ୍ରାୟ ୧ହଜାର ଏଭଳି ବିବାହ କରାଯିବ ବୋଲି ସୂଚନା ରହିଛି। ଏମିତି ବିବାହକୁ ଅପେକ୍ଷା କରିଥିବା ଝିଅପୁଅ ୩୦ ଦିନ ଆଗରୁ ସେମାନଙ୍କ ନାମ ପଞ୍ଜିକରଣ କରିବେ। ଯାହାକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯିବ। ଯେଉଁମାନେ ଦ୍ୱିତୀୟ ବିବାହ କରିବାକୁ ଯାଉଥିବେ ସେମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ ବୋଲି କର୍ନାଟକ ସରକାର କହିଛନ୍ତି। ତେବେ ଦ୍ୱିତୀୟ ବିବାହରେ ବୟସସୀମାକୁ ଗୁରୁତ୍ୱ ଦିଆଯିବ।

Share