ପରଜଙ୍ଗ, ୨ା୫(ଡି.ଏନ.ଏ.)- ପରିବାରର ବିନା ସ୍ବୀକୃତିରେ ପ୍ରେମ ବିବାହ କରିଥିବା ଯୋଗୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଳଦା ଗ୍ରାମର ବିଜୟ ନାଏକ ।ଦୁଇ ଶଳାଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ବିଜୟଙ୍କ ସ୍ତ୍ରୀ ସୁଭଦ୍ରା ନାଏକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, କଳଦା ଗ୍ରାମର ବିଜୟ ଓ ସେହି ଗ୍ରାମର ସୁଭଦ୍ରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟେ ଘରୁ ପଳାଇ କାମାକ୍ଷାନଗର କୋର୍ଟରେ ବିବାହ କରିଥିଲେ। ଏହାକୁ ଝିଅ ଘର ପରିବାର ଲୋକେ ବିରୋଧ କରିବା ସହ ବିଜୟଙ୍କୁ ହତ୍ୟା ଧମକ ଦେଉଥିବା ନେଇ ସୁଭଦ୍ରା ପୂର୍ବରୁ ପରଜଙ୍ଗ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ବିଜୟ ଓ ସୁଭଦ୍ରା ଦେଢ଼ ବର୍ଷ ସମ୍ପର୍କୀୟଙ୍କ ଘରେ ରହିବା ପରେ କିଛି ଦିନ ତଳେ ଗାଁକୁ ଫେରି ବିଜୟଙ୍କ ଘରେ ରହୁଥିଲେ। ଗତ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ବେଳେ ବିଜୟ ଗାଁ ହାଇସ୍କୁଲ ପଡ଼ିଆରେ କ୍ରିକେଟ ଖେଳି ଘରକୁ ଫେରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ସୁଭଦ୍ରାଙ୍କ ଦୁଇ ଭାଇ ଅମର ନାଏକ ଓ କୁବେର ନାଏକ ବିଜୟଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ବିଜୟ ମରିଯାଇଥିବା ଭାବି ୨ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ପରେ ସେହି ବାଟ ଦେଇ ଯାଉଥିବା ଲୋକେ ବିଜୟଙ୍କୁ ଦେଖି ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅଭିଯୋଗ କ୍ରମେ ପରଜଙ୍ଗ ପୋଲିସ ଏକ ମାମଲା ରୁଜୁ କରିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି।