ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ଗଲା: ୨ ଗିରଫ

ବାଲେଶ୍ୱର ଅଫିସ,୧୪।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗୋଶାଳପଦାର ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାର ପାଇଁ ହତ୍ୟା କରାଯାଇ ବୁଢ଼ାବଳଙ୍ଗ ନଦୀରେ ଫୋପାଡ଼ି ଦିଆଯାଇଛି। ପୋଲିସ ମୃତଦେହକୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ଭାଇଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୧୫୧/୨୦) ରୁଜୁ କରାଯାଇ ଘଟଣାରେ ତଦନ୍ତ ଆରମ୍ଭ ହୋଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଯୁବକଙ୍କୁ ସହଦେବଖୁଣ୍ଟା ପୋଲିସ ଗୁରୁବାର ଗିରଫ କରିଛି।
ଗୋଶାଳପଦାର ବିଜୟକୃଷ୍ଣ ଗିରି ଏବଂ ବାରବାଟି ଅଞ୍ଚଳର ରୋହିତ ସେନ ଦୁଇ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଗତ ମଙ୍ଗଳବାର ଅପରାହ୍ନ ୨ଟାରେ ବାରବାଟୀସ୍ଥିତ ନିର୍ମାଣାଧୀନ ଏକ କୋଠାଘର ଭିତରେ ଉଭୟେ କଥା ହେଉଥିବା ବେଳେ ଝଗଡ଼ା ଲାଗିଥିଲେ। ରୋହିତ ଉତ୍ତ୍ୟକ୍ତ ହୋଇ ଏକ ରଡ୍‌ରେ ବିଜୟଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ହୋଇଥିଲା। ପରେ ରୋହିତ ତାଙ୍କ ସାଙ୍ଗ ମାଣିଖମ୍ବ ଅଞ୍ଚଳର କ୍ରୀଷ୍ଣା ସେଠୀଙ୍କ ସହାୟତାରେ ବିଜୟଙ୍କ ମୃତଦେହକୁ ବାଲିଘାଟସ୍ଥିତ ବୁଢ଼ାବଳଙ୍ଗ ନଦୀକୁ ଫୋପାଡ଼ି ଦେଇଥିଲେ। ବିଜୟ ଘରକୁ ନ ଫେରିବାରୁ ବଡ଼ଭାଇ ଦେବାଶିଷ ସହଦେବଖୁଣ୍ଟା ଥାନାରେ ସାନଭାଇ ନିଖୋଜ ଥିବା ନେଇ ଲିଖିତ ଭାବେ ଜଣାଇଥିଲେ। ବୁଧବାର ଚୁନଭାଟିସ୍ଥିତ ଶ୍ରୀନିକ୍ସ କଲେଜ ପଛପଟ ବୁଢ଼ାବଳଙ୍ଗ ନଦୀ ତଟରେ ଏକ ମୃତଦେହ ଭାସୁଥିବା ପୋଲିସକୁ ଖବର ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ମୃତଦେହ ଉଦ୍ଧାର କରିବା ସହ ବିଜୟ ବୋଲି ଚିହ୍ନଟ କରିଥିଲେ। ବିଭିନ୍ନ ସୂତ୍ରରୁ ଖବରପାଇ ପୋଲିସ ରୋହିତ ଓ କ୍ରୀଷ୍ଣାଙ୍କୁ ଅଟକାଇ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଉକ୍ତ ଦୁଇଜଣଙ୍କୁ ଗିରଫ କରିଛନ୍ତି।