Labuan Bajo: Indian boxer MC Mary Kom, who won gold in the 51kg category, poses along with other medal winners Jamuna Boro (L), Simranjit (R) and Monika (2nd R) at President's Cup, in Labuan Bajo, Indonesia, Sunday, July 28, 2019. (PTI Photo) (PTI7_28_2019_000132B) *** Local Caption ***
ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ୍ ପଦକ ବିଜେତା ସିମରନଜିତ କୌର ଆଉ ଏକ ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଇଣ୍ଡୋନେସିଆର ଲାବୁଆନ ବାଜୋଠାରେ ଅନୁଷ୍ଠିତ ୨୩ତମ ପ୍ରେସିଡେଣ୍ଟ କପ୍ ବକ୍ସିଂ ଟୁର୍ନାମେଣ୍ଟରେ ମେରୀକମ୍ ୫୧ କେ.ଜି. ବର୍ଗରେ ଓ ସିମରନଜିତ ୬୦ କେ.ଜି. ବର୍ଗ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ସ୍ବର୍ଣ୍ଣ ଜିତିଛନ୍ତି। ୭ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ଭାରତ ମୋଟ୍ ୯ଟି ପଦକ ହାସଲ କରିଛି।
ମହିଳା ବକ୍ସରମାନେ ସବୁ ୪ଟି ଫାଇନାଲରେ ବାଜି ମାରି ୪ଟି ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ପୁରୁଷ ଖେଳାଳିମାନେ ମିଶ୍ର ପ୍ରଦର୍ଶନ କରିଥିଲେ। ପୁରୁଷ ଖେଳାଳିମାନେ ୨ ରୌପ୍ୟ ସହ ୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଇଣ୍ଡିଆ ଓପନ୍ରେ ସ୍ବର୍ଣ୍ଣ ପଦକ ଜିତିବାର ଦୁଇମାସ ପରେ ମେରୀକମ୍ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଏପ୍ରିଲ ପ୍ରାଙ୍କ୍ସ ୫-୦ରେ ହରାଇ ଚାମ୍ପିୟନ ହୋଇଥିଲେ। ସମ୍ପୂର୍ଣ୍ଣ ଏକାପାଖିଆ ଭାବେ ସେ ବିଜୟ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ରୁଷିଆର ୟେକାଟେରିନବର୍ଗରେ ଆୟୋଜନ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍ରେ ଭଲ ପ୍ରଦର୍ଶନ କରି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ସେ ରହିଛନ୍ତି। ସେହିପରି ସିମରନଜିତ ଫାଇନାଲରେ ଇଣ୍ଡୋନେସିଆର ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ହସନାହ ହୁସଓ୍ବାତୁନଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ଜିତିଛନ୍ତି। ୫୪ କେ.ଜିରେ ଆସାମର ଯୁବ ମହିଳା ବକ୍ସର ଯମୁନା ବୋରୋ ୫-୦ରେ ଇଟାଲୀର ଅଭିଜ୍ଞ ବକ୍ସର ଗିଉଲିଆ ଲାମାଗ୍ନାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି। ୪୮ କେ.ଜି. ବର୍ଗରେ ମୋନିକା ଇଣ୍ଡୋନେସିଆର ଏନ୍ଡାଙ୍ଗଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ଜିତିଛନ୍ତି।
ପୁରୁଷ ବିଭାଗରେ ଅଙ୍କୁଶ୍ ଦାହିୟା ୬୪ କେ.ଜି.ରେ, ନୀରଜ ସ୍ବାମୀ ୪୯ କେ.ଜି.ରେ ଓ ଆନନ୍ଦ ପ୍ରହଲ୍ଲାଦ ଚୋପାଡେ ୫୨ କେ.ଜି.ରେ ବାଜି ମାରି ଚାମ୍ପିୟନ ହେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚୋପାଡେ ୫-୦ରେ ଆଫଗାନିସ୍ତାନର ରମହମନୀ ରାମିଶଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ଦାହିୟା ୫-୦ରେ ମାକାଉରେ ଲିଅଙ୍ଗ କିନ୍ ଫଙ୍ଗକୁ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ନୀରଜ ୪-୧ରେ ଫିଲିପାଇନ୍ସର ମାକାଡୋ ଜୁନିୟର ରାମେଲଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ତେବେ ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ୍ ପଦକ ବିଜେତା ଗୌରବ ବିଧୁରୀ ଫାଇନାଲରେ ୨-୩ରେ ଇଣ୍ଡୋନେସିଆର ମାଣ୍ଡଜିଏ ଜିଲ୍ଙ୍କଠାରୁ ୫୬ କେ.ଜି. ବନଟାମଓ୍ବେଟ୍ ବାଉଟ୍ରେ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ସେହିପରି ୨୦୧୮ ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜେତା ଦୀନେଶ ଡାଗର ୦-୫ରେ ଇଣ୍ଡୋନେସିଆର ସମଦା ସାପୁତ୍ରଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।