Categories: ଜାତୀୟ

ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ଅନୁଭବ କରନ୍ତି ୭୧% ଭାରତୀୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): ଭାରତରେ ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ରହୁଥିବା ୭୧ ପ୍ରତିଶତ ଲୋକ ଅନୁଭବ କରନ୍ତି। ଟେକ୍ନୋଲୋଜି ପ୍ଲାଟଫର୍ମ ‘ନେଟା ଆପ୍‌’ ଦ୍ୱାରା ଦେଶର ପ୍ରେସ୍‌ ସ୍ବାଧୀନତା ଉପରେ ବିଭିନ୍ନ ରାଜ୍ୟର ଲୋକଙ୍କ ମତ ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଦେଶର ୧୯ ରାଜ୍ୟର ୭୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିଥିଲେ। ଏଥିରେ କୁହାଯାଇଛି, ଭାରତରେ ୭୧ ପ୍ରତିଶତ ଲୋକ ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ଥିବା ଅନୁଭବ କରୁଥିବାବେଳେ ୨୬ ପ୍ରତିଶତ ପ୍ରେସ୍‌ ସ୍ବାଧୀନତା ଅତ୍ୟନ୍ତ ଭଲ ବୋଲି କହିଛନ୍ତି। ଏଥିରେ ୩ ପ୍ରତିଶତ ଲୋକ କୌଣସି ମତାମତ ଦେଇ ନ ଥିଲେ।
ତେବେ ବିହାର, ଝାଡଖଣ୍ଡ ଓ ମଧ୍ୟପ୍ରଦେଶ ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରେସ୍‌ ସ୍ବାଧୀନତା ପ୍ରତି ଅଧିକ ଧମକ ଥିବା ଅନୁଭବ କରାଯାଉଥିବାବେଳେ ତେଲେଙ୍ଗାନା, କେରଳ ଓ ତାମିଲନାଡୁ ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକରେ ଏହି ବିପଦ କମ୍‌ ଅନୁଭବ କରାଯାଏ ବୋଲି ‘ନେଟା ଆପ୍‌’ ପ୍ରତିଷ୍ଠାତା ପ୍ରଥମ୍‌ ମିଟ୍ଟଲ ପ୍ରକାଶ କରିଛନ୍ତି।
ସର୍ବେକ୍ଷଣ ଅନୁଯାୟୀ, ଝାଡଖଣ୍ଡର ୮୮.୮୯ ପ୍ରତିଶତ ଅଂଶଗ୍ରହଣକାରୀ ଦେଶରେ ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ଥିବା ଅନୁଭବ କରୁଥିବାବେଳେ ତେଲେଙ୍ଗାନାର ୫୫ ପ୍ରତିଶତ ଲୋକ ଏହା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।

Share