ପ୍ରୋତ୍ସାହନ ଅଭାବ: ଦୁର୍ଦ୍ଦିନରେ ପଥର କାରିଗର

ଗଞ୍ଜାମ,୧୭ା୩(ଡି.ଏନ୍‌.ଏ.)ଗଞ୍ଜାମ ବ୍ଲକ କୁଶପଲି ଦଳିତ ସାହି ଓ ଆଖପାଖ ଅଞ୍ଚଳରେ ଥିବା ପଥର କାରିଗରମାନେ କିଛି ବର୍ଷ ଧରି ପଥରରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରି ବିକ୍ରି କରୁଥିଲେ। ପଥର ତିଆରି ଶିଳ, ଗୁଡୁପା, ଘୋରଣା, ପେଷଣା ଓ ଚନ୍ଦନ ପେଡି ଆଦିକୁ ଝିଅମାନେ ଶାଶୁଘର ଯିବା ସମୟରେ ସାଙ୍ଗରେ ନେଉଛନ୍ତି। ପୂର୍ବରୁ ଏଗୁଡ଼ିକର ବହୁଳ ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ବିଜ୍ଞାନ ଯୁଗରେ ତାହା କିନ୍ତୁ କେତେକ ମାତ୍ରାରେ କମିଯାଇଛି। ଅତ୍ୟାଧୁନିକ ଯୁଗରେ ବେସର କିମ୍ବା ଚାଉଳ, ମାଣ୍ଡିଆ ଆଦି ବାଟିବା ପାଇଁ ପଥରରେ ନିର୍ମିତ ଶିଳ ଅପେକ୍ଷା ଗ୍ରାଇଣ୍ଡରକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। ତଥାପି ଏବେ ମଧ୍ୟ ଗ୍ରାମାଞ୍ଚଳଗୁଡ଼ିକରେ ବିବାହ କାର୍ଯ୍ୟରେ କେତେକ ପରିବାରରେ ଝିଅମାନଙ୍କୁ ପଥରରେ ତିଆରି ବିଭିନ୍ନ ସାମଗ୍ରୀ ଦେଉଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଏହି ପଥର କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା କୁଶପଲି ଦଳିତ ସାହିର ବଳରାମ ଦାସ କହିଛନ୍ତି। ସେ କହିଛନ୍ତି, ଯେତେ ଇଲେକ୍ଟ୍ରୋନିକ ମେଶିନ ବାହାରିଥିଲେ ମଧ୍ୟ ବିବାହ ସିଜନରେ ଲୋକମାନେ ଏହା କିଣିବାକୁ ଆସିଥାନ୍ତି। କିନ୍ତୁ ପଥର ଅଭାବ ଯୋଗୁ ସେମାନଙ୍କୁ ଆମେ ଫେରାଇବାକୁ ବାଧ୍ୟ ହେଉଛୁ। ଏଥିସହ ସ୍ଥାନୀୟ ଜଙ୍ଗଲ ଲିଜ୍‌ ହେଉନି। ପାହାଡରୁ ପଥର ନେବାକୁ ବନ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଫଳରେ ଆମେ କୌଳିକ ବୃତ୍ତିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛୁ ବୋଲି କୁଶପଲି ଦଳିତ ସାହିର ପଥର କାରିଗର ସୀମା ଦାସ, କୃଷ୍ଣ ଦାସ, ଚରଣ ଦାସ ପ୍ରମୁଖ କହିଛନ୍ତି।
ଉକ୍ତ ସାହିରେ ୬୦ ରୁ ୭୦ ପରିବାର ରହୁଛନ୍ତି। ସମସ୍ତେ ପଥର କାରିଗର। କିନ୍ତୁ କେତେକ କଟକଣା ଯୋଗୁ କୌଳିକ ବୃତ୍ତି ଛାଡ଼ିବାକୁ ବାଧ୍ୟ ହେଉଛୁ ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତି ଶଙ୍କର ରାଏଙ୍କୁ ପଚାରିବାରୁ ଓଡ଼ିଶା ଜୀବିକା ମିଶନ କର୍ମଚାରୀ ପଠାଇ ତଦନ୍ତ ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।

Share