Categories: ଖେଳ

ପ୍ରୋ କବାଡ଼ି ଲିଗ୍‌: ଦବଙ୍ଗ- ଓ୍ବାରିୟର୍ସ ଟାଇଟଲ ମୁକାବଲା

ଅହମ୍ମଦାବାଦ,୧୯।୧୦(ପି.ଟି.)-ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ଚଳିତ ସପ୍ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଟାଇଟଲ ପାଇଁ ଦବଙ୍ଗ ଦିଲ୍ଲୀ ଓ ବେଙ୍ଗଲ ଓ୍ବାରିୟର୍ସ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଉଭୟ ଦଳ ପ୍ରଥମ ଫାଇନାଲ ଖେଳିବାକୁ ଯାଉଥିବାରୁ ଏଥର କେପିଏଲ୍‌ରେ ଏକ ନୂଆ ଚାମ୍ପିୟନ ଦେଖିବାକୁ ମିଳିବ। ସ୍ଥାନୀୟ ଇକେଏ ଆରିନାସ୍ଥିତ ଟ୍ରାନ୍ସଷ୍ଟାଡିଆରେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଦମ୍‌ଦାର ପ୍ରଦର୍ଶନ କରି ଉଭୟ ଦଳ ଫାଇନାଲରେ ପ୍ରବେଶ କରିଥିବାରୁ ବିଜୟୀ ହେବା ନେଇ ଆଶାବାଦୀ ଅଛନ୍ତି। ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ହେବା ସହ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଦିଲ୍ଲୀ ପ୍ରଥମ ସେମିଫାଇନାଲରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସକୁ ୪୪-୩୮ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ଦ୍ୱିତୀୟ କଡ଼ା ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ବେଙ୍ଗଲ ଓ୍ବାରିୟର୍ସ ୩୭-୩୫ର ୟୁ ମୁମ୍ବାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

Share