‘ପ୍ଲାଜ୍‌ମା ଥେରାପିର ଅଧିକ ଗବେଷଣା ଜରୁରୀ’

ନୂଆଦିଲ୍ଲୀ,୨୯ା୪: କରୋନା ଭୂତାଣୁର ଉପଚାର ଲାଗି ପ୍ଲାଜ୍‌ମା ଥେରାପିକୁ ସମର୍ଥନ କରାଯିବାର କୌଣସି ଭିତ୍ତି ନାହିଁ। ଏହାର ଅଧିକ ଗବେଷଣା ଜରୁରୀ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଇସିଏମ୍‌ଆର ପକ୍ଷରୁ ଜାତୀୟସ୍ତରରେ ଏନେଇ ଅଧିକ ତର୍ଜମା ଜାରି ରହିଛି। ଏହା ରୋଗୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରେ। ଦିଲ୍ଲୀରେ ଗତ ସପ୍ତାହରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଥିଲେ ହେଁ ଏବେ ଅଧିକ ଗବେଷଣା ଉପରେ ଗୁରୁତ୍ୱ ଦିଆଯାଉଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ପ୍ଲାଜ୍‌ମା ଥେରାପିକୁ ସମର୍ଥନ କରିବାର ସେଭଳି କୌଣସି ଠୋସ୍‌ ପ୍ରମାଣ ନାହିଁ। ଏହାର ଉପଯୋଗ ଠିକ୍‌ ଭାବେ କରା ନ ଗଲେ ସଂକ୍ରମିତଙ୍କ ଜୀବନ ପ୍ରତି ବିପଦ ଦେଖାଦେବା ଆଶଙ୍କା ରହିଛି। କେବଳ ଭେଣ୍ଟିଲେଟର ସପୋର୍ଟରେ ଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରେ। ପ୍ରକାଶଥାଉ କି, ମୁମ୍ବାଇରେ ମଙ୍ଗଳବାରଠାରୁ ଏହି ପ୍ଲଜ୍‌ମା ଥେରାପି ଟ୍ରାଏଲ୍‌ ଭାବେ ଗ୍ରହଣ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜ୍‌ମାକୁ ଜଣେ ଗୁରୁତର କରୋନା ରୋଗୀଙ୍କ ଦେହରେ ଲଗାଇ ରକ୍ତ ସଞ୍ଚାଳନ କରାଯାଇ ସୁସ୍ଥ କରାଯାଇଥାଏ। କାରଣ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ଜଣେ ବ୍ୟକ୍ତି ୪୦୦ ମିଲିଗ୍ରାମ୍‌ର ପ୍ଲାଜ୍‌ମା ଦାନ କରିପାରିବେ ବୋଲି ଡାକ୍ତର କହିଛନ୍ତି। ଏଥିରେ ୨ ରୋଗୀଙ୍କୁ ବଞ୍ଚାଯାଇପାରିବ। ହେଲେ ପ୍ଲାଜ୍‌ମା ଥେରାପି କେତେଦୂର କରୋନା ରୋଗୀଙ୍କ ଜୀବନ ରକ୍ଷା କରିବ ତାହା ଗବେଷଣା ପରେ ହିଁ ଜଣାପଡ଼ିବ।

Share