ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି

ନୂଆଦିଲ୍ଲୀ, ୯ା୫: ପ୍ରାଣଘାତୀ କରୋନା ଲୋକଙ୍କ ଜୀବନ ନେବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ନ୍ୟାଶନାଲ ଏଥିକ୍ସ କମିଟି ପକ୍ଷରୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ ଗ୍ରହଣ କରିବାକୁ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)କୁ ସ୍ବୀକୃତି ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ ଖବରଦାତା ସମ୍ମିଳନୀରେ ଏନେଇ ପ୍ରକାଶ କହିଛନ୍ତି। ଆଇସିଏମ୍‌ଆର୍‌ ପକ୍ଷରୁ ୨୧ ହସ୍ପିଟାଲରେ ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ମାଧ୍ୟମରେ ପରୀକ୍ଷାମୂଳକ ଚିକିତ୍ସା କରାଯିବ। ମହାରାଷ୍ଟ୍ରର ୫, ଗୁଜରାଟର ୪, ରାଜସ୍ଥାନ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର ଦୁଇଟି ଲେଖାଏ ହସ୍ପିଟାଲ, ପଞ୍ଜାବ, କର୍ନାଟକ, ତେଲଙ୍ଗାନା ଓ ଚଣ୍ଡିଗଡ଼ର ଗୋଟିଏ ଲେଖାଏ ହସ୍ପିଟାଲରେ ଏହି ପରୀକ୍ଷା କରାଯିବ। ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ରୋଗ ପ୍ରତିରୋଧକ ରକ୍ତରେ ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ। ଏବେ ସୁଦ୍ଧା ମୋଟ ୧୭,୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସୁସ୍ଥ ହୋଇସାରିଥିବା ବେଳେ ପ୍ଲାଜ୍‌ମା ଥେରାପିକୁ ପରୀକ୍ଷାମୂଳକ ଭାବେ ଗ୍ରହଣ କରାଯିବ ବୋଲି ଦର୍ଶାଯାଇଛି।

Share