ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌ ମ୍ୟୁନିସିପାଲିଟି(ସୋଲୁଖୁମ୍ବୁ ଜିଲା, ନେପାଳ)ର କାର୍ଯ୍ୟନିର୍ବାହୀ ପରିଷଦ । ସେଠାରେ ପ୍ଲାଷ୍ଟିିକ ବ୍ୟାଗ୍‌,ଷ୍ଟ୍ର,ସୋଡା ଏବଂ ପାଣି ବୋତଲ ବ୍ୟବହାର ନିଷେଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ୨୦୨୦ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ବର୍ଷ ନେପାଳ ସରକାର ‘ଭିଜିଟ ନେପାଳ’ କ୍ୟାମ୍ପେନ କରୁଥିବାରୁ ୨ ମିଲିଅନ ପର୍ଯ୍ୟଟକ ନେପାଳକୁ ଆସିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭରେଷ୍ଟ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ ରଖିିବା ପାଇଁ ରୁରାଲ ମ୍ୟୁନିସିପାଲିଟି ତପତ୍ରତା ପ୍ରକାଶ କରିଛି। ଏଥିପାଇଁ ଖୁମ୍ବୁ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିୟମିତ ବ୍ୟବହାର ପାଇଁ ବିଭିନ୍ନ ପ୍ରକାର ୫ଟି ପ୍ଲାଷ୍ଟିକ୍‌ ବ୍ୟାଗ ଦିଆଯାଇଛି । ଏହା ବ୍ୟତୀତ ସେମାନେ ଅନ୍ୟ କିଛି ବ୍ୟାଗ ବ୍ୟବହାର କରିପାରିବେନାହିଁ ବୋଲି କୁହାଯାଇଛି। ଏଭରେଷ୍ଟକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି ନୂଆ ନୁହେଁ। ୨୦୧୪ରେ ବି ଏଭରେଷ୍ଟ ଅଭିଯାନରେ ଯାଉଥିତ୍ବା ପର୍ବତାରୋହୀଙ୍କୁ ଫେରିବାବେଳେ ଅତି କମ୍‌ରେ ୮ କିଲୋଗ୍ରାମ ବର୍ଜ୍ୟବସ୍ତୁ ଆଣିବା ଲାଗି ନେପାଳ ସରକାର ନିୟମ କରିଥିଲେ। ଏଭରେଷ୍ଟ ଆରୋହଣ ପୂର୍ବରୁ ସେମାନଙ୍କୁ ୪ ହଜାର ଡଲାର ଜମା କରିବାକୁ ପଡୁଥିଲା ଓ ସେମାନେ ଫେରି ୮ କିଲୋ ବର୍ଜ୍ୟବସ୍ତୁ ଫେରାଇବା ପରେ ସେମାନଙ୍କୁ ଟଙ୍କା ଫେରାଇ ଦିଆଯାଉଥିଲା। ଏଭରେଷ୍ଟରେ ଶହ ଶହ ଟନ୍‌ ବର୍ଜ୍ୟବସ୍ତୁ ଠୁଳ ହୋଇ ରହିଥିବାରୁ ଏହା କିଭଳି ଆଉ ବୃଦ୍ଧି ପାଇବନି ତାହା ଉପରେ ଚିନ୍ତା ପ୍ରକଟ କରାଯାଇ ମେ’ ମାସରେ ଏଭରେଷ୍ଟ ଅଞ୍ଚଳରୁ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି।

Share