ପ୍ଲାଷ୍ଟିକ୍‌ ବର୍ଜନ ନିମନ୍ତେ ଶପଥ ନେଲେ କୁନି ପିଲା

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିିତ ହୋଇଯାଇଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ୩ରୁ ୬ ବର୍ଷର କୁନି କୁନି ଶିଶୁମାନଙ୍କ ପାଇଁ ନୃତ୍ୟଗୀତ ଏବଂ ଅଭିନୟ ମାଧ୍ୟମରେ ଗାନ୍ଧିଜୀଙ୍କ ଅବଦାନ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଶିଶୁଙ୍କୁ ଦୁଇ ଯୋଡ଼ା ପ୍ରାକ୍‌ବିଦ୍ୟାଳୟ ୟୁନିଫର୍ମ ବଣ୍ଟନ କରାଯାଇଥିଲା। ଆଜିଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ନିଷେଧ ପରିପ୍ରେକ୍ଷୀରେ ପିଲାଙ୍କୁ ସଚେତନ କରାଯାଇଥିବାବେଳେ ସେମାନେ ପ୍ଲାଷ୍ଟିକ୍‌ ବର୍ଜନ ନିମନ୍ତେ ଶପଥ ଗ୍ରହଣ କରିଥିଲେ। ‘ସ୍ବଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିସରକୁ ସଫେଇ କରାଯାଇଥିଲା। ବିଶେଷକରି ବାପୁ ଗୁରୁତ୍ୱ ଦେଉଥିବା ସ୍ବଚ୍ଛତାର ଆବଶ୍ୟକତା ସମ୍ପର୍କରେ ପିଲାଙ୍କୁ ନାଟକ ମାଧ୍ୟମରେ ସଚେତନ କରାଯିବା ସହ ବିଭିନ୍ନ କେନ୍ଦ୍ରରେ ଶେଭାଯାତ୍ରାମାନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାତାପିତା, ଜେଜେମା’ଜେଜେବାପା, ଗୋଷ୍ଠୀର ସଦସ୍ୟମାନେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ପ୍ରତିନିଧି ତଥା ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ। ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଆଇସିଡିଏସ୍‌ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରିଥିଲେ।

Share