ପ୍ଲାଷ୍ଟିକ କଟକଣାକୁ ମାନୁ ନାହାନ୍ତି ସରକାରୀ କର୍ମଚାରୀ:ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର,୨୫-୯(ବ୍ୟୁରୋ): ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କିମ୍ବା ୫୦ ମାଇକ୍ରନରୁ କମ ମୋଟେଇ ପଲିଥିନ ପରିବେଶ ପାଇଁ ମାରାତ୍ମକ । ଏହାର ବ୍ୟବହାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ୨୦୧୮ ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ୬ଟି ସହରାଞ୍ଚଳରେ ଏହାର ବ୍ୟବହାରକୁ ନିଷେଧ କରାଯାଇଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏହାକୁ ବାରଣ କରାଯାଇଛି। ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ କର୍ମଚାରୀମାନେ ପାଳନ କରୁ ନାହାନ୍ତି। ପଲିଥିନ, ପ୍ଲାଷ୍ଟିକ ବୋତଲ, କପ, ପ୍ଲେଟ ଆଦିର ବହୁଳ ବ୍ୟବହାର ଚାଲିଛି। ଏପରିକି ଭୋଜି ସମୟରେ ଥର୍ମୋପ୍ଲେଟଗୁଡିକର ବହୁଳ ବ୍ୟବହାର କରାଯାଉଛି। ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ପୁଣି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ସବୁ ବିଭାଗର ସଚିବମାନଙ୍କୁ ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପ୍ଲାଷ୍ଟିକ ଏକ ନଷ୍ଟ ହେଉ ନ ଥିବା ମାରାତ୍ମକ ବସ୍ତୁ। ପର ିବେଶ ପାଇଁ ଏହା ବଡ ବିପଦ ଭାବେ ଛିଡା ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ଅନେକ ପଦକ୍ଷେପ ନେଇଛି। ଏହାସତ୍ତ୍ୱେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ଲାଷ୍ଟିକ ବ୍ୟବହାର ଚାଲିଛି। ପାଣିପାଉଚ, ବୋତଲ, ପ୍ଲାଷ୍ଟିକ କପ, ପ୍ଲେଟ ଆଦିକୁ କୌଣସି ବୈଠକରେ ବ୍ୟବହାର କରାଯିବ ନାହିଁ। କର୍ମଚାରୀମାନେ ନିଜ ବିଭାଗରେ ଲାଗିଥିବା ଆକ୍ୱାଗାର୍ଡରୁ ଷ୍ଟେନଲେସ ଷ୍ଟିଲ କିମ୍ବା କାଚ ବୋତଲରେ ପାଣି ନେଇ ବ୍ୟବହାର କରି ପାରିବେ। ସରକାରୀ ସଭାସମିତିରେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୈନନ୍ଦିନ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ପ୍ଲାଷ୍ଟିକରେ ନିର୍ମିତ ଫ୍ଲେକ୍ସ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗଗୁଡିକ ପ୍ଲାଷ୍ଟିକର ବିକଳ୍ପ ଯୋଗାଡ କରିବାକୁ ମଧ୍ୟ କୁହାଯାଇଛି। ତୁରନ୍ତ ଏoହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

Share