ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଦେଉଛନ୍ତି ଜୁସ୍‌

ବେଙ୍ଗାଲୁରୁ,୬।୨: କର୍ନାଟକର ଜଣେ ଜୁସ୍‌ ଦୋକାନୀ ଏବେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଏବେ ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଜୁସ୍‌ ଦେଇ ସମସ୍ତଙ୍କ ମନ ଜିତିଥିବା କୁହାଯାଉଛି। ଏଏନ୍‌ଆଇର ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ମାଲେଶ୍ୱରମରେ ‘ଇଟ୍‌ ରାଜା’ ନାମକ ଏକ ଜୁସ୍‌ ଦୋକାନ ରହିଛି। ଏହି ଦୋକାନରେ ଗ୍ରାହକଙ୍କୁ ପ୍ଲାଷ୍ଟିକ ଗ୍ଲାସ ବଦଳରେ ଫଳର ଖୋଳରେ ଜୁସ୍‌ ଦିଆଯାଉଛି। ଗ୍ରାହକମାନେ କୁହନ୍ତି ସୋସିଆଲ ମିଡିଆରେ ଏହି ଦୋକାନ ସମ୍ପର୍କରେ ସୂଚନା ମିଳିବା ପରେ ସେମାନେ ଏଠି ଆସି ଜୁସ୍‌ ପିଉଛନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥିବା ବେଳେ ଜୁସ୍‌ ପିଇ ସାରିବା ପରେ ଫଳର ଖୋଳକୁ ଗାଈବଳଦଙ୍କୁ ମଧ୍ୟ ଖାଇବାକୁ ଦିଆଯାଇ ପାରିବ ବୋଲି ସେମାନେ ମତ ଦିଅନ୍ତି। ବଡ ବଡ ତରଭୁଜ, ବେଲ, ନଡିଆ ଆଦି ଖୋଳରେ ଦୋକାନୀ ଜଣଙ୍କ ଜୁସ୍‌ ଦେଉଥିବା କୁହାଯାଏ। ସୂଚନାଯୋଗ୍ୟ, ଏବେ ପ୍ଲାଷ୍ଟିକ ଯୋଗୁ ସାରା ବିଶ୍ୱରେ ପ୍ରଦୂଷଣର ମାତ୍ରା ବଢି ଚାଲିଥିବା ବେଳେ ଏହାକୁ ଯେ କୌଣସି ଉପାୟରେ ନାଁ କହିବାର ସମୟ ଆସିଛି। କାରଣ ଏହା ଶହ ଶହ ବର୍ଷ ଧରି ମାଟିରେ ମିଶୁ ନ ଥିବା ବେଳେ ଏହା ଜଳ, ସ୍ଥଳ ସବୁଠି ଅଡୁଆ ବଢାଇବାରେ ଲାଗିଛି। ତେଣୁ ଉକ୍ତ ଫଳ ଦୋକାନୀଙ୍କ ପ୍ରୟାସ ଯୋଗୁ ତାଙ୍କ ଦୋକାନରେ ବର୍ଜ୍ୟବସ୍ତୁ ବାହାରୁ ନାହିଁ କହିଲେ ଚଳେ। କାରଣ ସେ ପ୍ଲାଷ୍ଟିକର ବ୍ୟବହାର କରୁ ନାହାନ୍ତି।

Share