ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ

ପୁରୀ ଅଫିସ, ୨ା୧୦:ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ବଲୱନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସର୍ବୋଦୟ ମେଳା କମିଟି ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ ପ୍ରମୁଖ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ପ୍ଲାଷ୍ଟିକ ବର୍ଜନ ସଚେତନତା ବାର୍ତ୍ତା ଦେଇ ଏକ ଶୋଭାଯାତ୍ରା ସିଂହଦ୍ୱାରଠାରୁ ବାହାରି ଗାନ୍ଧୀ ଘାଟଠାରେ ପହଞ୍ଚତ୍ଥିଲା। ପ୍ଲାଷ୍ଟିକ ମୁକ୍ତ ସ୍ବଚ୍ଛ ପୁରୀ ଗଠନରେ ସହାୟ ହେବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟୁଷରେ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯାଇଥିଲା। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଓଡ଼ିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Share