ଚେନ୍ନାଇ: ପ୍ଲାଷ୍ଟିକ ଦ୍ରବ୍ୟ ସହ ପଲିଥିନ୍ର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ନଷ୍ଟ ହେଉଛି ବୋଲି ଭାବିବା ଠିକ୍ ନୁହେଁ। ଏହାଦ୍ୱାରା ପ୍ରାଣୀଜଗତ ମଧ୍ୟ ପ୍ରଭାବିତ ହେଉଛନ୍ତି। ବାହାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ଓ ପଲିଥିନ ଖାଇ ଅନେକ ଗାଈଗୋରୁ ମୃତ୍ୟୁବରଣ କରୁଛନ୍ତି। ଏହା କେତେ ମାରାତ୍ମକ ତାହା ଚେନ୍ନାଇର ଏକ ଘଟଣାରୁ ଜଣାପଡ଼େ। ମାଡ୍ରାସର ପ୍ରାଣୀ ଚିକିତ୍ସାଳୟରେ ଏକ ଗାଈ ପେଟରୁ ୫୨ କିଲୋ ଓଜନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରିବା ସମସ୍ତଙ୍କ ଆଖି ଖୋଲିଦେଇଛି। କେବଳ ସେତିକି ନୁହେଁ ଗାଈପେଟରୁ ସିରିଞ୍ଜ ଛୁଞ୍ଚି, ନଖ, ଆଲୁମିନିୟମ୍ ପାତ ଓ କଣ୍ଟା, କଏନ୍ ଆଦି ବାହାରିଛି। ଅପରେଶନ ଦ୍ୱାରା ଡାକ୍ତର ଏଗୁଡ଼ିକୁ ଗାଈ ପେଟରୁ ବାହାର କରିଛନ୍ତି। ଏବେ ସଚେତନ ହେବାର ବେଳ ଆସିଛି। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାରେ ଫିଙ୍ଗିଲେ ଜୀବଜଗତ କିଭଳି ପ୍ରଭାବିତ ହେବ, ତାହା ଏଥିରୁ ଅନୁମେୟ।