ପ୍ୟାକ୍ସରେ ତାଲା ପକାଇଲେ ଚାଷୀ

ବରୀ,୪ା୨(ସ୍ବ.ପ୍ର):ବରୀ ବ୍ଲକ ଅଧୀନ ଧାରପୁର କୃଷି ସେବା ସମବାୟ ସମିତି (ପ୍ୟାକ୍ସ)ରେ ସୋମବାର ଚାଷୀମାନେ ତାଲା ପକାଇ ଦେଇଥିଲେ। ଦୀର୍ଘ ସମୟ ଧରି ତାଲା ପଡ଼ି ରହିବାରୁ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସମିତି ସଭାପତି ସରୋଜ କୁମାର ଜେନାଙ୍କ ହସ୍ତକ୍ଷେପ ପରେ ତାଲା ଖୋଲା ଯାଇଥିଲା। ପ୍ରକାଶ ଯେ, ଏହି ସମିତି ଅଧୀନରେ ଖୋଲା ଯାଇଥିବା ଧାନ ମଣ୍ଡିରେ ଗତ ୧୭ ତାରିଖ ଚାଷୀମାନେ ୨୦୦୦ କ୍ୱିଣ୍ଟାଲ୍‌ରୁ ଊର୍ଦ୍ଧ୍ୱ ଧାନ ଆଣି ପହଞ୍ଚାଇ ଥିଲେ। ସମିତିର କର୍ମଚାରୀ, ଯୋଗାଣ ବିଭାଗ ଓ କୋପରେଟିଭ୍‌ ରେଜିଷ୍ଟାରଙ୍କ ଅସହଯୋଗ ଯୋଗୁ ସମିତିରୁ ଧାନ କ୍ରୟ ହୋଇ ନ ପାରି ୧୮ଦିନ ହେଲା ପଡ଼ିରହିଛି। ଶୀତ କାକରରେ ପାଣି ଖାଇ ଧାନ ଗଜା ହେବାକୁ ବସିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାଳୟରେ ସୋମବାର ତାଲା ପକାଇ ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଯୋଗାଣ ନିରୀକ୍ଷକ ପି.କେ ବେହେରା, କୋପରେଟିଭ୍‌ ଆସିଷ୍ଟାଣ୍ଟ ରେଜିଷ୍ଟାର ଭାଗବତ ମାରଣ୍ଡି, ଇନ୍ସପେକ୍ଟର ଅଲେଖ ପ୍ରସାଦ ସାହୁ ପହଞ୍ଚି ସେବା ସମବାୟ ସମିତିର ବୋର୍ଡ ଅଫ୍‌ ଡାଇରେକ୍ଟର, ସଭାପତି ଚାଷୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହି ସମିତିରେ ନବ ନିଯୁକ୍ତ ସମ୍ପାଦିକାଙ୍କୁ କାର୍ଯ୍ୟ କରିବା ପାଇଁ ଅନୁମତି ମିଳି ନ ଥିବାରୁ ସମିତି କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରୁଥିଲେ। ଏ ସଂକ୍ରାନ୍ତରେ ଉଚ୍ଚ ପଦାଧିକାରୀଙ୍କ ସହିତ ମାରାଣ୍ଡି ଆଲୋଚନା କରିବେ ଓ ତୁରନ୍ତ ମଣ୍ଡିରେ ପଡ଼ିଥିବା ଧାନକୁ ନେଇଯିବେ ବୋଲି ସମିତିର ସମସ୍ତ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରିସ୍ଥିତି ଶାନ୍ତ ପଡ଼ିବାରୁ ସମିତି କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା।