ପ୍ୟାରିସ୍‌ ପାଣିରେ କରୋନା ପଜିଟିଭ

ପ୍ୟାରିସ୍‌,୨୧ା୪: କରୋନା ମହାମାରୀର ପ୍ରକୋପରେ ଘାଣ୍ଟି ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଫ୍ରାନ୍ସର ସ୍ଥାନ ବିଶ୍ୱରେ ୪ର୍ଥ ଏବଂ ୟୁରୋପରେ ୩ୟ। ଏଠାରେ ଅଦ୍ୟାବଧି ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥଳେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ର ପାଣି ନମୁନାରୁ କରୋନା ପଜିଟିଭ୍‌ ଚିହ୍ନଟ ହେବା ଭଳି ଚିନ୍ତାଜନକ ତଥ୍ୟ ମିଳିଛି। ପ୍ୟାରିସ୍‌ ଜଳ କର୍ତ୍ତୃପକ୍ଷଙ୍କ ଲାବୋରେଟୋରିରେ ସହର ଓ ଆଖପାଖରୁ ସଂଗୃହୀତ ୨୭ଟି ନମୁନାକୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪ଟି ନମୁନାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା। ହେଲେ ଯେଉଁ ପାଣିରୁ ନମୁନା ସଂଗ୍ରହ କରାଯାଇଥିଲା ତାହା ପିଇବାଯୋଗ୍ୟ ନୁହେଁ ବୋଲି ପ୍ୟାରିସ୍‌ର ମୁଖ୍ୟ ପରିବେଶ ଅଧିକାରୀ ବ୍ଲାଉଏଲ କହିଛନ୍ତି। ତାଙ୍କ କହିବାନୁଯାୟୀ ଉକ୍ତ ପାଣି ସିନ୍‌ ନଦୀର। ତାହାକୁ ପାର୍କ, ଗାର୍ଡେନ ଏବଂ ରାସ୍ତା ସଫେଇ ଭଳି କାର୍ଯ୍ୟରେ ବିନିଯୋଗ କରାଯାଇଥାଏ। ପିଇବା ପାଇଁ ଯୋଗାଣ ହେଉଥିବା ପାଣି ନିମନ୍ତେ ଅଲଗା ନେଟ୍‌ଓ୍ବର୍କ ରହିଛି, ଯାହାକି ସୁରକ୍ଷିତ।

Share