‘ଫକୀରମୋହନ ଥିଲେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ’

ବାଲେଶ୍ୱର ଅଫିସ, ୧୫।୧- ବାଲେଶ୍ୱର ସହର ଶାନ୍ତିକାନନ ପରିସରରେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୧୮ ତମ ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟକ ଭାବେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ଭାଷାକୁ ଉଜ୍ଜୀବିତ କରିବାରେ ଫକୀରମୋହନଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତବ୍ୟରେ କହିଥିଲେ।
ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶ ଜେନା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଗବେଷକ ଡ. ସ୍ମରଣ ନାୟକ, ଓଡ଼ିଆ ଭାଷା ସାହିତ୍ୟ ପର୍ଯ୍ୟଟନ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାକୁ ବ୍ୟାସକବିଙ୍କ ଅବଦାନ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ସଦର ବିଧାୟକ ମଦନମୋହନ ଦତ୍ତ ଯୋଗଦେଇ ଫକୀରମୋହନଙ୍କର ସାହିତ୍ୟ ରଚନା ଆଜି ଓଡ଼ିଆ ଜାତି ପ୍ରତି ସର୍ବଶ୍ରେଷ୍ଠ ଅବଦାନ ବୋଲି କହିଥିଲେ। ବିଶିଷ୍ଟ ସାହିତି୍ୟକ ଡ. ହରିଶ୍ଚନ୍ଦ୍ର ବେହେରା ପ୍ରାକ୍‌ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଅତିଥିଙ୍କ ପକ୍ଷରୁ ବ୍ୟାସକବିଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଭାଷା ବନ୍ଦନା ଗାନ କରାଯାଇଥିଲା। ସାନ୍ଧ୍ୟକାଳୀନ କାର୍ଯ୍ୟକ୍ରମରେ ନାଟ୍ୟକାର ମୀନା କୁମାରୀ ସାମଲଙ୍କ ରଚନା ଓ ନିର୍ଦ୍ଦେଶନାରେ ସତ୍ୟସାଇ ଶିକ୍ଷାନୁଷ୍ଠାନର କଳକାରଙ୍କ ପକ୍ଷରୁ ନାଟକ ‘ସଲାମ’ ମଞ୍ଚସ୍ଥ ହୋଇଥିଲା। ଦୀର୍ଘ ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଅନୁଷ୍ଠାନ ପକ୍ଷରୁ ପ୍ରାକ୍ତନ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡ. ଭାଗବତ ପ୍ରସାଦ ଦାସ, ଅଞ୍ଜଳି ପଣ୍ଡା, ପ୍ରଦୀପ ଚାଟାର୍ଜୀ, ଦୀପକ ବୋଷ, ତପନ ରାୟ, କଲ୍ୟାଣୀ ନନ୍ଦ, ରଞ୍ଜନ ବାଗ, ଡ. ସନାତନ ଦାସ, ନିବାରଣ ଜେନା, ଅରୁଣା ରାୟ, ଶରତ କୁମାର ମହାପାତ୍ର, ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଡ. ରମାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଘର୍‌ୟ ଅର୍ପଣ କରିଥିଲେ।