ଫଟା ପାଇପ୍‌ରେ ପାନୀୟ ଜଳ ଯୋଗାଣ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ପରଜଙ୍ଗ, ୧୦।୧(ଡି.ଏନ.ଏ.)- ‘ଜଳ ହିଁ ଜୀବନ’। ଜଳ ସଂରକ୍ଷଣ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳରେ ଏହା କେବଳ ଲୋକଦେଖାଣିଆ ପାଲଟିଛି। କେଉଁଠି ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ଦାଣ୍ଡରେ ଭାସୁଛି ପିଇବା ପାଣି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡିହଡୋଳ ଗ୍ରାମରେ। ବିଭାଗୀୟ ଉଦାସୀନତା ଏବଂ ଅଧିକାରୀଙ୍କ ଅବହେଳା ଯୋଗୁ ଏପରି ଅବ୍ୟବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଡିହଡୋଳ ଗ୍ରାମର ପ୍ରଧାନ ସାହି, ନନ୍ଦି ସାହି, ମଙ୍ଗଳାବାଗ ସାହି, ତଳ ସାହି, ବଡ଼ ସାହିରେ ପାଇପ୍‌ ଫାଟି ଯାଇଥିବାରୁ ପିଇବା ପାଣି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଅନ୍ୟପଟେ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁ ନ ଥିବାରୁ ସାହିବାସୀ ଭାଗବାଣ୍ଟି ୩-୪ ଗରା ଲେଖାଏ ପାଣି ନେଉଛନ୍ତି। ଲୋକଙ୍କ କହିବା କଥା, ସମ୍ପୃକ୍ତ ସାହିଗୁଡ଼ିକରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି। ସେମାନଙ୍କୁ ହାତପାହାନ୍ତରେ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ଗ୍ରାମରେ ୨ଟି ଗଭୀର ବୋରଓ୍ବେଲ ଖୋଳାଯିବା ସହ ନିର୍ମିତ ହୋଇଛି ପାଣି ଟାଙ୍କି। ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାକୁ ପର୍ଯ୍ୟାପ୍ତ ପାଣି ଯୋଗାଣ ବି ହେଉଛି। ହେଲେ ପାଇପ୍‌ ଫାଟି ଯାଇଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। ବର୍ଷେ ହେଲା ପୁରୁଣା ପାଇପ ବଦଳାଇବାକୁ ଯୋଜନା କରାଯାଇଛି। ତାହା ବି ଅଧାପନ୍ତରିଆ ହୋଇ ରହିଛି। ଯେଉଁ କେତେକ ସ୍ଥାନରେ ନୂଆ ପାଇପ୍‌ ବିଛାଯାଇଛି, ସେଠାରେ ଷ୍ଟାଣ୍ଡପୋଷ୍ଟ ତିଆରି କରାଯାଉନାହିଁ। ଫଳରେ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଉଥିବା ଲକ୍ଷାଧିକ ଟଙ୍କା ଜନହିତରେ ଆସୁ ନ ଥିବା ସାହିବାସୀ କହିଛନ୍ତି। ଅନ୍ୟପଟେ ରାସ୍ତାରେ ପାଣି ଭାସି କାଦୁଅ ହେଉଛି। ପାଣିକାଦୁଅରେ ଚାଲି ଚାଲି ଯାଉଥିବାରୁ ଚର୍ମ ରୋଗ ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଗକୁ ଖରାଦିନ ଥିବାରୁ ଅଞ୍ଚଳବାସୀ ଭୟଙ୍କର ଜଳକଷ୍ଟ ଭୋଗିବା ଆଶଙ୍କା ରହିଛି। ଏ ନେଇ ବାରମ୍ବାର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଦୀର୍ଘଦିନ ଧରି ସମସ୍ୟାର ବାଟ ଫିଟୁନାହିଁ। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ନେଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ (୧) ତ୍ରିଲୋଚନ ପ୍ରଧାନ କୁହନ୍ତି, ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ। ଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରାଯିବ।

Share