Categories: ଜାତୀୟ

ଫଡନବିସଙ୍କ ପାଇଁ ସମସ୍ୟା ଆଣିପାରେ ସଂଖ୍ୟା ଗରିଷ୍ଠତା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଡନବିସ ସରକାରଙ୍କ ଉପରେ। ରାତାରାତି ମେଣ୍ଟ ଓ ପରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି ସତ। ହେଲେ ଏବେଠାରୁ ଆଲୋଚନା ହେଲାଣି ସଂଖ୍ୟା ଗରିଷ୍ଠତାକୁ ନେଇ। ଆସନ୍ତା ୩୦ ତାରିଖ ସୁଦ୍ଧା ଫଡନବିସ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି ସୂଚନା ମିଳିଛି। ଏପଟେ କିନ୍ତୁ ଏନ୍‌ସିପି ଦଳକୁ ଧୋକା ଦେଇଥିବା କୁହାଯାଉଥିବାରୁ ଏହା ଫଡନବିସଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଲାଣି। ମହାରାଷ୍ଟ୍ରର ମୋଟ ବିଧାନସଭା ଆସନ ସଂଖ୍ୟା ୨୮୮ ଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଛି ୧୦୫, ଶିବସେନା ୫୬, କଂଗ୍ରେସ ୪୪ ଓ ଏନ୍‌ସିପିକୁ ୫୪ ଆସନ ମିଳିଛି। ବହୁମତ ପାଇଁ ୧୪୫ ଆସନ ଆବଶ୍ୟକ। ଏବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର କହିଲେଣି ତାଙ୍କ ଦଳର କେତେଜଣ ବିଧାୟକ ଭାଜପାକୁ ସହଯୋଗ କରି ନ ପାରନ୍ତି। ଯଦି ଏମିତି ହେଲା ତେବେ ଏହା ଭାଜପା ସରକାର ପାଇଁ ନିଶ୍ଚିତ ଭାବେ ସମସ୍ୟା ହେବ ବୋଲି ଅନୁମାନ କରାଯାଉଛି।

Share