ଫନୀକୁ ବିତିଲା ମାସେ ଏବେବି ହୋଇନି ଘରଭଙ୍ଗା ତଦନ୍ତ

ଗୋପ, ୩।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀକୁ ମାସେ ବିତିଛି। ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଧୀରେ ଧୀରେ ମୁଖ୍ୟଧାରାକୁ ଫେରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ଘରଭଙ୍ଗା ତଦନ୍ତ ହୋଇନାହିଁ। ଏଭଳି ଘଟଣା ସାମ୍ନାକୁ ଆସିଛି ଗୋପ ବ୍ଲକରେ। ସବୁଠୁ ବେଶି ଆଶ୍ଚର୍ଯ୍ୟର କଥା ବାତ୍ୟାରେ କେତେ ଲୋକଙ୍କ ଘର ଭାଙ୍ଗିଛି ସେ ସମ୍ପର୍କରେ ଗୋପ ତହସିଲଦାରଙ୍କ କାର୍ଯ୍ୟାଳୟରେ ରିପୋର୍ଟ ନାହିଁ। ଫଳରେ ବିପନ୍ନମାନେ ଏକମାସ ଧରି ଖରାକାକରରେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି।
ଫନୀରେ ଗୋପ ବ୍ଲକର ୩୧ ପଞ୍ଚାୟତରେ ୮୦ହଜାରରୁ ଊର୍ଦ୍ଧ୍ୱ ଚାଳଘର, ଆଜବେଷ୍ଟସ ଘର ଏବଂ କେତେକ କୋଠାଘର ମଧ୍ୟ ଭାଙ୍ଗିଯାଇଥିଲା। ବାତ୍ୟା ପରେ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ଭାଙ୍ଗିଥିବା ଘରର ତଦନ୍ତ କରିବା ପାଇଁ ୩୪ଗୋଟି ଟିମ୍‌ ଗଠନ କରାଯାଇଛି। ମାତ୍ର ଏହି ତଦନ୍ତରୁ ଅନେକ ବିପନ୍ନ ବାଦ ପଡୁଥିବା ନେଇ ଅଭିଯୋଗ ଆସୁଛି। ତଦନ୍ତ ଦଳରେ ଥିବା ବ୍ଲକ ଏବଂ ତହସିଲ କର୍ମଚାରୀମାନେ ଠିକ୍‌ ଭାବରେ ତଦନ୍ତ କରୁ ନ ଥିବାରୁ ଏପରି ଅଭିଯୋଗ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘରଭଙ୍ଗା ଲାଗି ଥିବା ଆବଶ୍ୟକୀୟ କାଗଜପତ୍ର, ଫଟୋ କେତେକ ତଦନ୍ତକାରୀ ଟିମ୍‌ ନେଇଥିବାବେଳେ ଆଉ କେତେକ ଟିମ୍‌ ନ ନେବାରୁ ବିପନ୍ନମାନେ ତଦନ୍ତ ଅଗ୍ରଗତି ନେଇ କିଛି ସୂଚନା ପାଇପାରୁନାହାନ୍ତି। ନିୟମ ଅନୁସାରେ ପ୍ରତ୍ୟେକ ଦିନ ତଦନ୍ତକାରୀ ଟିମ୍‌ କାଗଜପତ୍ର ବ୍ଲକରେ ଦାଖଲ କରିବାର ନିର୍ଦ୍ଦେଶ ଥିବାବେଳେ ଅଧିକାଂଶ ଟିମ୍‌ ସେହି କାଗଜପତ୍ର ଦାଖଲ ନ କରିବାରୁ ତଦନ୍ତରେ ବ୍ୟତିକ୍ରମ ଦେଖାଦେଇଛି। ଫନୀର ୧୦ଦିନ ପରେ ଗୋପ ତହସିଲ ପକ୍ଷରୁ ଘରଭଙ୍ଗା ତଦନ୍ତ ଆରମ୍ଭ ହୋଇଥିବାବେଳେ ୨୩ଦିନରେ ମାତ୍ର ୧୫ହଜାର ଘର ତଦନ୍ତ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଗୋପ ବ୍ଲକରେ କେବେ ଘରଭଙ୍ଗା ଶେଷ ହେବ ବିପନ୍ନମାନେ ତାଙ୍କ ବାସ ସଜାଡିବେ ତାକୁ ନେଇ ବିପନ୍ନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି।

Share