Categories: ରାଜ୍ୟ

ଫନୀକୁ ମାସେ ବିତିଲା: ଖୋଲା ଆକାଶ ତଳେ ବିତୁଛି ବିପନ୍ନଙ୍କ ଜୀବନ

କୃଷ୍ଣପ୍ରସାଦ,୮ା୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ଦୀର୍ଘ ୧ ମାସ ବିତିଯାଇଛି। ତଥାପି ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତଃ ଘଟୁ ନାହିଁ। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ଚିଲିକା ଘେରି ମଧ୍ୟରେ ଥିବା ଦୀପାଞ୍ଚଳ ବ୍ରହ୍ମପୁରରେ । ଏଠାରେ ବାସ କରୁଥିବା ପ୍ରାୟ ୨୫ଶହରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ୮୦ ପ୍ରତିଶତ ଘରର ଚାଳ ଓ ଛାତ ଛପର ଉଡ଼ିଯିବା ସହ ଅନେକ ଘର ଭାଙ୍ଗିଯାଇଛି। ଏଥିଯୋଗୁ ଶହ ଶହ ଲୋକ ଦୁଃଖ, କଷ୍ଟରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ା ବର୍ତ୍ତମାନ ଏମାନଙ୍କ ପାଇଁ ଘର, ଖାଦ୍ୟ ଓ ପାନୀୟ ଜଳ ନାହିଁ। ହରାଇ ସାରିଛନ୍ତି ନିଜର କୌଳିକ ବୃତ୍ତି । ସରକାରୀ ସହାୟତା ଏହି ବିପନ୍ନ ପରିବାର ପାଇଁ ସ୍ବପ୍ନ ପାଲଟିଛି। ଚିଲିକା ଉପରେ ନିର୍ଭର କରି ଚଳୁଥିବା ଏହି ମତ୍ସ୍ୟଜୀବୀ ପରିବାରର ଜାଲ, ଡଙ୍ଗାଗୁଡ଼ିକ ବାତ୍ୟାରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କିଛିଦିନ ତଳେ ସରକାରଙ୍କ ପକ୍ଷରୁ ରିଲିଫ୍‌ ବାବଦରେ କେବଳ ମିଳିଥିଲା ୩ ହଜାର ଟଙ୍କା, ୫୦ କେଜି ଚାଉଳ, ଅଢ଼େଇ ଲିଟର କିରୋସିନ୍‌ ଓ ଗୋଟିଏ ପଲିଥିନ ା ଚାଉଳ ସରିଯିବା ପରେ କ’ଣ ଖାଇବେ ସେ ନେଇ ଚିନ୍ତା ଘାରିଛି ବିପନ୍ନଙ୍କୁ। ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଓ କେନ୍ଦ୍ରୀୟ ଦଳର ଗସ୍ତ ପରେ ଆଶା ରହିଛି ଯେ ସରକାରୀ ସହାୟତା କେବେ ମିଳିବ? ବ୍ଲକ ଅଞ୍ଚଳର ପ୍ରକାଶ ଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ଜେନା, ନୀଳକଣ୍ଠ ରାୟଗୁରୁ, ସୁଶାନ୍ତ କୁମାର ଜେନା, ଧବଳେଶ୍ୱର ଜେନା କହନ୍ତି, ଆମକୁ ମିଳିଥିବା ମାତ୍ର ଅଢ଼େଇ ଲିଟର କିରୋସିନ ୧୫ ଦିନ ହେଲାଣି ସରିଗଲାଣି। ଏ ଯାଏ ବିଦ୍ୟୁତ୍‌ ନାହିଁ, ଆମେ ଚଳିବୁ କେମିତି? ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ହେଉଛି। ଲକ୍ଷ୍ମୀପ୍ରିୟା ଜେନା କହିଛନ୍ତି, ୧୧ ଜଣ ସଦସ୍ୟ ବିଶିଷ୍ଟ ଆମର ପରିବାର ଭଙ୍ଗା କୁଡ଼ିଆରେ ଦିନ ବିତାଉଛନ୍ତିି । ଏଥିପ୍ରତି କୌଣସି ସରକାରୀ ପଦକ୍ଷେପ ନାହିଁ। ସ୍ଥାନୀୟ ଲୋକେ କହିଛନ୍ତି, କିଛି ବର୍ଷ ମଧ୍ୟରେ ୩ଟି ବଡ଼ ବଡ଼ ବାତ୍ୟା ପରେ ଛାତ ଘର ଯୋଗାଇ ଦେବାର ପ୍ରତିଶ୍ରୁତି ହିଁ କେବଳ ଆମକୁ ମିଳୁଛି। ତେଣୁ ଆବାସ ଯୋଜନାରେ ବାସହରାଙ୍କୁ ତୁରନ୍ତ ଥଇଥାନ କରିବା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ବିପନ୍ନମାନେ ଦାବି କରିଛନ୍ତି।

Share