ଫନୀକୁ ୮ମାସ ବିତିଲା: ମରାମତି ହେଉନି ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

କଟକ ରୋଡ,୧୧ା୧(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ର ୮ମାସ ପରେ ବି ରାଜଧାନୀର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯାହା କି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା କଟକ ରୋଡ ଅଞ୍ଚଳରେ। ବାତ୍ୟାରେ ବୁଦ୍ଧେଶ୍ୱରୀ ମନ୍ଦିର ସମ୍ମୁଖ ମେଡିଆନରେ ଲେଖାଯାଇଥିବା ଏକ ସୁଉଚ୍ଚ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଝୁଲି ରହିଛି। ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ହେଉଥିବା ବେଳେ ଖୁଣ୍ଟ କେଉଁ ସମୟରେ ଭାଙ୍ଗି ପଡ଼ିବ ସେ ନେଇ ଆଶଙ୍କା ଦେଖାଦେଇଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।
ସୂଚନାଥାଉ କି, ଉକ୍ତ ମନ୍ଦିର ନିକଟ ସହ ଅନ୍ୟାନ୍ୟ ଅଞ୍ଚଳରେ ବାତ୍ୟା ସମୟରେ ଉପୁଜିଥିବା ଏଭଳି ସମସ୍ୟା ନେଇ ‘ଧରିତ୍ରୀ’ରେ ଏକ ଶୀର୍ଷକ ପ୍ରକାଶ ପାଇଥିଲା। ଫଳରେ ତତ୍‌କାଳୀନ ବିଏମସି କମିଶନର ବିଏମସି ବିଦ୍ୟୁତ୍‌ ବିଭାଗ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ସମସ୍ତ ଠିକାଦାରଙ୍କୁ ଡକାଇ ଏକ ବୈଠକ କରିଥିଲେ। ତୁରନ୍ତ ଷ୍ଟ୍ରିଟଲାଇଟ ସେବା ସ୍ବାଭାବିକ କରିବା ସହ କେଉଁଠାରେ ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ ରହିଛି ତାହାର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଟକ ରୋଡ ରାସ୍ତାରେ ବହୁଦିନ ଧରି ପଡିଥିବା ଏକ ବିଦ୍ୟୁତ୍‌ ଖୁଣ୍ଟକୁ ବିଏମସି ପକ୍ଷରୁ ହଟାଯାଇଥିଲେ ମଧ୍ୟ ଅଦ୍ୟାବଧି ଅଘଟଣ ଆଶଙ୍କା ଥିବା ଉକ୍ତ ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନ ନେବା ଅସନ୍ତୋଷର କାରଣ ପାଲଟିଛି। ଏ ନେଇ ବିଏମସି ବିଦ୍ୟୁତ୍‌ ବିଭାଗ ଦାୟିତ୍ୱରେ ଥିବା ଜଣେ ସହକାରୀ ଯନ୍ତ୍ରୀ କୁହନ୍ତି, ବାତ୍ୟା ସମୟର ଏଭଳି ଖୁଣ୍ଟ ରହିଥିବା ନଜରକୁ ଆସିନାହିଁ। ଖୁବ୍‌ଶୀଘ୍ର ଏହାକୁ ଅପସାରଣ କିମ୍ବା ମରାମତି କରାଯିବ।

Share