ଫନୀରୁ ଫାଇଦା

ଡ. ଚିନ୍ତାମଣି ପଣ୍ଡା

ଚକ୍ରବାତ ଫନୀ ତାଣ୍ଡବ ରଚିବା ପରେ ଅପସରି ଯାଇଛି। କିନ୍ତୁ ପଛରେ ଛାଡିଯାଇଛି ଧ୍ୱଂସସ୍ତୂପର ବିଭୀଷିକା, ଛାରଖାର କରିଯାଇଛି ସଂସାରର ସବୁଜିମା। ଏପରି ଏକ ବିଧ୍ୱସ୍ତକାରୀ ବାତ୍ୟା ସାଧାରଣ ଜୀବନକୁ ତଳିତଳାନ୍ତ କରି ଦେଇଥିବା ବେଳେ ମୁଷ୍ଟିମେୟ ଗୋଷ୍ଠୀଙ୍କ ନିହିତ ସ୍ବାର୍ଥର ଚରିତାର୍ଥ ନିମନ୍ତେ ଆଣିଦେଇଛି ସୁବର୍ଣ୍ଣସୁଯୋଗ। ଏହି ଗୋଷ୍ଠୀର ପ୍ରଥମ ବର୍ଗରେ ଅଛନ୍ତି ବୈଦ୍ୟୁତିକ ଗଣମାଧ୍ୟମବାଲା। ମିନିଟ୍‌କୁ ମିନିଟ୍‌ ତାଜା ଖବର ନାଁରେ ଅନେକ ମସଲାଦାର ଖବର ପରିବେଷଣ କରିବା ସାଙ୍ଗକୁ ନିଜର ପାଣ୍ଡିତ୍ୟ ପ୍ରଦର୍ଶନରେ ଏପରି ମନ୍ତବ୍ୟ ରଖନ୍ତି, ଯାହାକି ଦର୍ଶକମାନଙ୍କୁ ଶଙ୍କାଗ୍ରସ୍ତ ତଥା ହତଚକିତ କରିପକାଏ। ବିଭିନ୍ନ ଚାନେଲରେ ଚମକପ୍ରଦ ଖବର ପରିବେଷଣ ପାଇଁ ଯେଉଁ ଅହେତୁକ ପ୍ରତିଯୋଗିତା ତାହା କେବଳ ଟି.ଆର୍‌.ପି. ନିଶାରେ। କହିବା ବାହୁଲ୍ୟ ଯେ ସେମାନଙ୍କ କ୍ୟାମେରା ସାମ୍ନାରେ ଲୋକଟିଏ ଭାସିଯାଉଥିବାର ଦେଖିଲେ ତାକୁ ଉଦ୍ଧାର କରିବା ପରିବର୍ତ୍ତେ ତା’ର ଆର୍ତ୍ତଚିତ୍କାରର ଚିତ୍ର ସବୁ ଉତ୍ତୋଳନ କରି ପ୍ରସାରଣ କରିବାକୁ ଶ୍ରେୟସ୍କର ମଣନ୍ତି। ଧନ୍ୟ ସେ କର୍ତ୍ତବ୍ୟର ତାଡ଼ନା! ଏମାନେ ଏପରି ଦୈବୀ ଦୁର୍ବିପାକକୁ ନିଜ ଚାନେଲର ଲୋକପ୍ରିୟତା ବୃଦ୍ଧି ଆଶାରେ ଚାହିଁ ବସିଥାନ୍ତି।
ଅନ୍ୟ ଏକ ଗୋଷ୍ଠୀ ହେଲେ ଜନପ୍ରତିନିଧି। ସେ ନିର୍ବାଚିତ ହୋଇଥାନ୍ତୁ ବା ପରାଜିତ, ଏମିତି ଏକ ଦୁର୍ବିପାକକୁ ଚାହିଁ ବସିଥାନ୍ତି କେବଳ କ୍ଷମତା ଲୋଭରେ। ଗୁରୁ ଧନ ଶିଷ୍ୟଙ୍କୁ ଦେଇ କେବଳ ମଝିରେ ହାତ ଚିକ୍କଣ କରିବା ପରି କ୍ଷମତାଲିପ୍‌ସୁ ଏହି ନେତାଗଣ ପୁରସ୍କାର ବିତରଣ ଉତ୍ସବର ମୁଖ୍ୟଅତିଥି ପରି ସରକାରୀ ଧନକୁ ଜନସାଧାରଣଙ୍କୁ ଦେଇ ନିଜର ପତିଆରା ଜାହିର କରିଥାନ୍ତି। ଏମାନଙ୍କର ଚେଲାଚାମଣ୍ଡାଗଣ ଏପରି ଏକ ସଙ୍କଟମୟ ପରିସ୍ଥିତିରେ ଗରିବ, ଅଶିକ୍ଷିତ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଫାଇଦା କରାଇଦେବା ବାହାନାରେ ଦୁଇପଇସା ରୋଜଗାର କରିଥାନ୍ତି। ବେଳେ ବେଳେ କୁଜିନେତା, ଟାଉଟର ଦଳ ମୃତ ଲୋକକୁ ଜୀବିତ ଦର୍ଶାଇ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ହଡପ କରିନିଅନ୍ତି।
ପରବର୍ତ୍ତୀ ଗୋଷ୍ଠୀ ହେଲେ ସରକାର ଚଳାଉଥିବା ଅମଲାତନ୍ତ୍ରୀବୃନ୍ଦ। ତଳସ୍ତରଠୁ ଆରମ୍ଭ କରି ଉପରଯାଏ ଏମାନଙ୍କ ମଧ୍ୟରେ ଅନ୍ତଃସ୍ରୋତା ଫଲ୍‌ଗୁ ନଦୀର ବାଲୁକା ଶଯ୍ୟା ପରି ଏକ ଅଦୃଶ୍ୟ ସ୍ରୋତ ଚାଲିଥାଏ, ଯାହାକୁ ମଧ୍ୟ ଆମେ ‘ପ୍ରପର ଚାନେଲ’ ବୋଲି କହିଥାଉ। ଏମାନେ ସନ୍ତୁଷ୍ଟ ହେଲେ ଧନଶାଳୀ ବ୍ୟକ୍ତିଟିକୁ କାରସାଦି କରି ଭିକାରି ଭତ୍ତା କରାଇଦିଅନ୍ତି ଆଉ ରାଗିଲେ…। ପରବର୍ତ୍ତୀ ଗୋଷ୍ଠୀ ହେଲେ ବ୍ୟବସାୟୀ, ପରିସ୍ଥିତିରୁ ଫାଇଦା ଉଠାଇବାକୁ ଯାଇ କଳାବଜାର କରି ପାଞ୍ଚଟଙ୍କାର ଜିନିଷକୁ ୨୫ ଟଙ୍କାରେ ବିକ୍ରି କରି ଜନସାଧାରଣଙ୍କ ପକେଟ କାଟିବାକୁ ପଛାନ୍ତି ନାହିଁ। ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମହଜୁଦ କରି ବଜାରରେ ଏହାର ଅହେତୁକ ମୂଲ୍ୟବୃଦ୍ଧି ଘଟାନ୍ତି। ଫଳରେ ଅକାରଣରେ ବାତ୍ୟା କ୍ଷତିଗ୍ରସ୍ତ ଅସହାୟ ଲୋକେ ବେଡି ଉପରେ କୋରଡାମାଡ ପରି ମହଙ୍ଗା ମାଡ଼ରେ ଆଉଟୁ ପାଉଟୁ ହୁଅନ୍ତି।
ଅନ୍ୟ ଏକ ଗୋଷ୍ଠୀ ହେଲେ କୁଶଳୀ କାରିଗର। ରାଜମିସ୍ତ୍ରିଠାରୁ ଆରମ୍ଭକରି ପାଇପ ମିସ୍ତ୍ରି ପର୍ଯ୍ୟନ୍ତ ଏବଂ ବୈଦ୍ୟୁତିକ ସରଞ୍ଜାମ ମରାମତିଠାରୁ ଜେନେରେଟର ଭଡାରେ ଦେଉଥିବା ବ୍ୟକ୍ତି ପର୍ଯ୍ୟନ୍ତ ସବୁସ୍ତରର କାରିଗର ମନଇଚ୍ଛା ଦର ହାଙ୍କିଥାନ୍ତି ସାଧାରଣ ଜନତାଙ୍କ ଉପରେ ଏଇ ମଉକାରେ। ସାମାନ୍ୟ କ୍ଷତି ପହଞ୍ଚି ଥାଉ କି ନ ଥାଉ ଅତ୍ୟଧିକ ଲାଭର ଆଶାରେ ଏମାନେ ତାହାକୁ ଅକାମୀ ଦର୍ଶାଇ ପଇସା ଲୁଟିଥାନ୍ତି। ଏମାନଙ୍କ ପଛକୁ କ୍ଷୁଦ୍ର ବ୍ୟବସାୟୀମାନେ ଧାଡି ଲଗେଇଥାନ୍ତି। ପେଟ୍ରୋଲଠାରୁ ଆରମ୍ଭକରି ମହମବତି, ଚା, ଜଳଖିଆ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ଉଚ୍ଚା ଦରରେ କିଣା ଦର୍ଶାଇ ମୂଲ୍ୟବୃଦ୍ଧିରେ ସହାୟକ ହୋଇଥାନ୍ତି। ଖାଲି ସେତିକି ନୁହେଁ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଅପମିଶ୍ରଣ କରି ଏହି ସୁଯୋଗରୁ ଯଥେଷ୍ଟ ଆର୍ଥିକ ଫାଇଦା ଉଠାଇଥାନ୍ତି।
କବାଡିବାଲାଏ ଭଙ୍ଗାଜିନିଷ ସହିତ ଭଲ ଜିନିଷକୁ ମଧ୍ୟ ଭାଙ୍ଗିରୁଜି ଏହି ସୁଯୋଗର ଫାଇଦା ନେଇଥାନ୍ତି। ପରିଶେଷରେ ସାଧାରଣ ଜନତା, ସେମାନେ ବା ଆଉ ଛାଡନ୍ତେ କିପରି। ନକଲି ହିତାଧିକାରୀ ସାଜି ଯଥେଷ୍ଟ ଅଧିକ କ୍ଷତି କାଗଜପତ୍ରରେ ଦର୍ଶାଇ ଆବଶ୍ୟକ ହେଲେ ହାତଗୁଞ୍ଜା ଦେଇ ମଧ୍ୟ ସମସ୍ତ ସରକାରୀ ସୁବିଧାସୁଯୋଗକୁ ହାତେଇ ନେଇଥାନ୍ତି। ତେଣୁ ଗୋଟିଏ କେଇ ଘଣ୍ଟାର ପ୍ରାକୃତିକ ଦୁର୍ବିପାକ ଏକ ଲମ୍ବା କୃତ୍ରିମ ଯନ୍ତ୍ରଣାସିକ୍ତ ଆପଦରେ ପରିବର୍ତ୍ତିତ ହୋଇଯାଏ। ଏଇ ପରିପ୍ରେକ୍ଷୀରେ ବିଚରା ମଣିଷଟି ଦୁଇପଟୁ ଚକିରେ ପେଷିହେବା ପରି ସନ୍ତୁଳିତ ହୋଇ ପରମେଶ୍ୱରଙ୍କୁ ଯନ୍ତ୍ରଣାରେ ତ୍ରାହି ତ୍ରାହି ଡାକ ଛାଡୁଥାଏ। ତେଣୁ ବାତ୍ୟା, ବନ୍ୟା ପରି ଦୁର୍ବିପାକ କାହା ପାଇଁ କାଳ ତ କାହା ପାଇଁ ରୋଜଗାରର ବେଳ।
ପ୍ରଫେସର, କୃଷି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri