Categories: ରାଜ୍ୟ

ଫନୀରେ ଉଡିଥିଲା ବିଦ୍ୟାଳୟ ଛପର: ଗଛମୂଳେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

କାଳିଆପାଣି,୨୭ା୬(ଡି.ଏନ୍‌.ଏ.): ୨୦୧୬ ନଗଡା ଅପପୁଷ୍ଟି ଘଟଣାପରେ ନଗଡାର ବିକାଶ କ୍ଷେତ୍ରରେ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ଜୁଆଙ୍ଗ ଜନଜାତିଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନ ଉପରେ ଗୁରୁତ୍ୱ ଦିଆଯିବା ସହ ଚାଲିଚଳଣିରେ ପରିବର୍ତ୍ତନ ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ନଗଡା ଅପହଞ୍ଚ ତୁମୁଣୀ ଓ ଗୁହିଆଶାଳ ଗ୍ରାମରେ ଅଦ୍ୟାବଧି ରାସ୍ତା ସଂଯୋଗୀକରଣ ହୋଇ ପାରି ନାହଁି। ଏହି ୨ ଗ୍ରାମର ବିକାଶ କେବଳ କାଗଜ କଲମରେ ରହିଛି। ସରକାରୀ ଯୋଜନା ବିଜୁ ପକ୍କାଘର, ବିଜୁସ୍ବାସ୍ଥ୍ୟ ଯୋଜନା, ସ୍କୁଲଗୃହ ନିର୍ମାଣ, ସ୍ବାସ୍ଥ୍ୟସେବା ପରି ବିଭିନ୍ନ ସରକାରୀ ଯୋଜନା ଗ୍ରାମରେ କାର୍ଯ୍ୟକାରୀ ହୋଇପାରି ନ ଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଗୁହିଆଶାଳ ଗ୍ରାମରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଟାଟା ଷ୍ଟିଲ୍‌ ଓ ତୁମୁଣି ଗ୍ରାମରେ ଖଣି ନିଗମ ପକ୍ଷରୁ ୨ଟି ଶ୍ରେଣୀଗୃହ ନିର୍ମାଣ କରାଯାଇଛି। ଏଥିରେ ଗ୍ରାମର କୋମଳମତି ପିଲାଙ୍କୁ ଆସ୍ପେୟାର ସଂସ୍ଥା ପକ୍ଷରୁ ଶିକ୍ଷକ ନିଯୁକ୍ତି କରାଯାଇ ଶିକ୍ଷା ଦାନ କରାଯାଉଛି। ହେଲେ ଫନୀ ମହାବାତ୍ୟାରେ ତୁମୁଣୀ ଗ୍ରାମରେ ନିର୍ମିତ ହୋଇଥିବା ସ୍କୁଲ ଛପର ଉଡିଯାଇଛି। ଅପରପକ୍ଷେ ଗୁହିଆଶାଳଠାରେ ଥିବା ସ୍କୁଲ ଘରଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଫଳରେ ଛାତ୍ରୀଛାତ୍ରମାନେ ଗଛମୂଳରେ ପାଠ ପଢୁଛନ୍ତି। ବର୍ଷା ସମୟରେ ପାଠପଢା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଏ ନେଇ ବହୁବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମଳିପାରି ନ ଥିବା ଉଭୟ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବିଡିଓ ବିଶ୍ୱଜିତ ଦାସଙ୍କୁ ପଚାରିବାରୁ, ଏ ବାବଦରେ ତାଙ୍କ ନିକଟରେ ଅଭିଯୋଗ ହୋଇ ନାହଁ। ଅଭିଯୋଗ ପରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

Share