ଫନୀରେ ବିଦ୍ୟୁତ୍‌ ବିଭାଗ କ୍ଷତିର ସମୀକ୍ଷା କଲେ ମନ୍ତ୍ରୀ: ହାଇଡ୍ରୋ ପ୍ରୋଜେକ୍ଟର କ୍ଷମତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଲେ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଶକ୍ତି ବିଭାଗ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ସମୀକ୍ଷା ବୈଠକରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପରିବେଶ ବାତାନୁକୂଳ ମାଧ୍ୟମରେ ହାଇଡ୍ରୋ ପ୍ରୋଜେକ୍ଟଗୁଡ଼ିକୁ ତ୍ବରାନ୍ବିତ କରାଯାଇ ଏହାର କ୍ଷମତା ବୃଦ୍ଧି କରାଗଲେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି କହିଛନ୍ତି। ଫନୀ ସମୟରେ ବିଦ୍ୟୁତ୍‌ ବିଭାଗର ଅନେକ କ୍ଷୟକ୍ଷତି ହୋଇଥିଲା, ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବେ ବିଦ୍ୟୁତ୍‌ ସଂଯୋଗ କରାଯାଇ ପ୍ରାଥମିକତା ଭିତ୍ତିରେ ବିଦ୍ୟୁତ୍‌ସେବା ଯୋଗାଇ ଦିଆଯାଇଛି। ସେହି କାରଣରୁ ବିଦ୍ୟୁତ ବିଭାଗ ପ୍ରଶଂସାର ପାତ୍ର ହୋଇପାରିଥିଲା। ପର୍ଯ୍ୟାୟକ୍ରମେ ଅସ୍ଥାୟୀ ସଂଯୋଗକୁ ସ୍ଥାୟୀ କରାଯାଇଛି। ଫନୀ କ୍ଷତିର ପୁନରୁଦ୍ଧାର ସକାଶେ ରହିଥିବା ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ସହ ଯୋଗାଯୋଗ କରାଯାଇ ବଳକା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମୀକ୍ଷା ବୈଠକରେ ମନ୍ତ୍ରୀ ମିଶ୍ର କହିଛନ୍ତି। ବୈଠକରେ ଶକ୍ତି ବିଭାଗୀୟ କମିଶନର ତଥା ଶାସନ ସଚିବ ବିଷ୍ଣୁ ପ୍ରସାଦ ସେଠୀ, ଅତିରିକ୍ତ କମିଶନର ପ୍ରଦୀପ୍ତ କିଶୋର ଶତପଥୀ, ସ୍ବତନ୍ତ୍ର ସଚିବ ସଂଗ୍ରାମ ସ୍ବାଇଁ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।

Share