Categories: ମେଟ୍ରୋ

ଫନୀରେ ୩୦ ହଜାରରୁ ଊର୍ଦ୍ଧ୍ୱ ବହି ନଷ୍ଟ: ୧୯ ରେ ଖୋଲିବ ସ୍କୁଲ, ପିଲାଙ୍କ ପାଖରେ ନାହିଁ ପାଠ୍ୟପୁସ୍ତକ

ଗୋପ, ୮।୬(ଡି.ଏନ୍‌.ଏ.)-ଫନୀରେ ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ପାଠ୍ୟପୁସ୍ତକ ନଷ୍ଟ ହୋଇଯାଇଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ନେଇ ଆଶଙ୍କା ଉପୁଜିଛି। ୧୯ରେ ସ୍କୁଲ ଖୋଲିବାକୁ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚତ୍ ନାହିଁ। ଏ ନେଇ ଅବିଭାବକ ଓ ଛାତ୍ରୀଛାତ୍ର ଚିନ୍ତାରେ ଅଛନ୍ତି।
ଫନୀରେ ଗୋପ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି କ୍ଷୟକ୍ଷତିରେ ହଜାର ହଜାର ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ପାଠ୍ୟପୁସ୍ତକ ନଷ୍ଟ ହୋଇଯାଇଥିବା ଭଳି ଅଭିଯୋଗ ହୋଇଥିଲା। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋପ ବ୍ଲକରେ ଥିବା ସମସ୍ତ ସ୍କୁଲକୁ ପ୍ରାୟ ୪୦ ଭାଗ ବହିପତ୍ର ଯୋଗାଇ ଦିଆଯାଇଥିବାବେଳେ ସେଥି ମଧ୍ୟରୁ ଶିକ୍ଷକମାନେ ପିଲାମାନଙ୍କୁ ୨୦ ଭାଗ ବହି ବଣ୍ଟନ କରିଥିଲେ। ଏ ସମ୍ପର୍କରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ପ୍ରଭାସ ଚନ୍ଦ୍ର କରଣଙ୍କୁ ପଚାରିବାରେ ଶିକ୍ଷାବର୍ଷ ଆରମ୍ଭରୁ ଗୋପ ବ୍ଲକ୍‌ର ସମସ୍ତ ସ୍କୁଲ ଜରିଆରେ ଛାତ୍ରୀଛାତ୍ରମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବହିପତ୍ର ଦିଆଯାଇଥିଲା। ଆମ କାର୍ଯ୍ୟାଳୟରେ ଥିବା ଅବଶିଷ୍ଟ ୩୦ ହଜାର ବହି ନଷ୍ଟ ହୋଇଯାଇଥିବାରୁ ନୂଆ ବହି ଯୋଗାଇ ଦେବା ଲାଗି ସରକାରଙ୍କୁ ଚିଠି ଲେଖାଯାଇଛି। ବହିପତ୍ର ଆସିଲେ ତୁରନ୍ତ ପିଲାମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

Share