Categories: ରାଜ୍ୟ

ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ୯ଦଫା ଦାବି: ସିପିଆଇଏମ୍‌ ପକ୍ଷରୁ ଧାରଣା

ନିରାକାରପୁର,୧୮ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫନୀ କ୍ଷତିଗ୍ରସ୍ତଙ୍କ ୯ ଦଫା ଦାବି ପୂରଣ ନେଇ ଶୁକ୍ରବାର ସିପିଆଇଏମ୍‌ ତରଫରୁ ଧାରଣା ଦିଆଯାଇଥିଲା। ଫନୀ ଯୋଗୁ ଲୋକଙ୍କ ଘରଦ୍ୱାର, ସ୍କୁଲ୍‌, ରାସ୍ତାଘାଟ ଓ ଫସଲର ଅନେକ କ୍ଷୟକ୍ଷତି ଘଟିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ତେଣୁ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ନିମନ୍ତେ ଟାଙ୍ଗୀ ବ୍ଲକ ସିପିଆଇଏମ୍‌ ସମ୍ପାଦକ ଗିରିଶ ଚନ୍ଦ୍ର ମହାରଣା, ଜିଲା କମିଟି ସଭ୍ୟ ବିଧୁଭୂଷଣ ମହାରଣାଙ୍କ ନେତୃତ୍ୱରେ ଏକ ରାଲି ଆୟୋଜିତ ହୋଇଥିଲା। କ୍ଷତିଗ୍ରସ୍ତ ମହିଳା ଓ ପୁରୁଷମାନେ ପୂର୍ବାହ୍ନ ୧୦ ଟାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ। କମ୍ୟୁନିଷ୍ଟ ନେତା ଚରଣ ଦଳେଇଙ୍କ ନେତୃତ୍ୱରେ ଏଠାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲ। ତେବେ ମଧ୍ୟାହ୍ନ ୧୨ ଟା ବେଳେ ଟାଙ୍ଗୀ ତହସିଲଦାର ସୁନାଶିର କିଷାନ ଘଟଣା ସ୍ଥଳରେ ପହଞ୍ଚତ୍ ଲୋକଙ୍କ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ରାଜସ୍ବ ନିରୀକ୍ଷକ ଅଶ୍ୱିନୀ କୁମାର ଚୌଧୁରୀଙ୍କୁ କ୍ଷୟକ୍ଷତି ଆଦିର ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ। ଆନ୍ଦୋଳନକାରୀ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Share