ଫନୀ ଘରଭଙ୍ଗା ସହାୟତା ସାନି ତଦନ୍ତ ଭୟ

ବ୍ରହ୍ମଗିରି,୨୩ା୧୧(ଡି.ଏନ୍‌.ଏ.): ଫନୀରେ ବ୍ରହ୍ମଗିରି ବ୍ଲକରେ ବିଶେଷ କ୍ଷୟ କ୍ଷତି ହୋଇଥିଲା। ଏଥିରେ ବ୍ରହ୍ମଗିରି ବ୍ଲକରେ ଅନେକ ଘରଦ୍ୱାର ଭାଙ୍ଗିଯାଇଥିଲା ଏନେଇ ମୁଖ୍ୟମନ୍ତ୍ରୀ ଘରଭଙ୍ଗା ସହାୟତା ଘୋଷଣା କରିଥିଲେ। ଫନୀରେ ଫୁଲ୍‌ ଡ୍ୟାମେଜ ହିତାଧିକାରୀଙ୍କୁ ୯୫ହଜାର ସହାୟତା ରାଶି ଦିଆଯିବାନେଇ ପ୍ରଶାସନ ସ୍ଥିର କରିଥିଲା। ପରେ ପ୍ରଶାସନ ତରଫରୁ ଦୀର୍ଘଦିନ ଧରି ଘରଭଙ୍ଗା ତଦନ୍ତ କରାଗଲା। ମାତ୍ର ଦଲାଲମାନେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଫୁଲ୍‌ଡ୍ୟାମେଜ ଲିଷ୍ଟରେ ସାମିଲ କରାଇ ସହାୟତା ହାତେଇବାରେ ସଫଳ ହୋଇଥିଲେ। ଏନେଇ ଯୋଗ୍ୟ ହିତାଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ସାନି ତଦନ୍ତ ପାଇଁ ଆନ୍ଦୋଳନ କରିଥିଲେ। ପରେ ପୁରୀ ଜିଲାପାଳ ଏସମ୍ପର୍କରେ ପୁନର୍ବାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ମନରେ ଭୟ ଘାରିଯାଇଛି। ଏନେଇ ତଦନ୍ତ ପାଇଁ କିଏ କୁଡିଆ ଘର ନିର୍ମାଣ କରିବାରେ ଲାଗିପଡିଛନ୍ତି ତ କିଏ ଛାତ ଘର ଉପରେ ପାଲ ଟାଣି ଭଙ୍ଗା ଘରର ଦୃଶ୍ୟପଟ ସୃଷ୍ଟି କରିବାରେ ଲାଗିପଡିଛନ୍ତି। ଲୋକେ ପ୍ରଶାସନକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିବା ସମୟରେ ଏହି ତଦନ୍ତ କେତେ ସଫଳତା ପାଇବ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସ୍ଥାନୀୟ ବାସିନ୍ଦା ଏବଂ ଯୋଗ୍ୟ ହିତାଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି।